ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟା ତାଙ୍କୁ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଧାମିଙ୍କ ବ୍ୟତିତ ସତ୍ୟପାଲ ମହାରାଜ, ହରକ ସିଂହ ରାୱତ, ବଂଶୀଧର ଭଗତ, ୟଶପାଲ, ବିରାନ ସିଂହ ମନ୍ତ୍ରୀପଦ ପାଇଁ ଶପଥ ନେଇଛନ୍ତି ।
ତେବେ ୪୫ ବର୍ଷୀୟ ଧାମି ରାଜ୍ୟର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ଉତ୍ତରାଖଣ୍ଡର ପରବର୍ତ୍ତୀ ଡୋରି କାହା ହାତରେ ରହିବ, ସେନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ତାର ଅନ୍ତ କରିଛନ୍ତି ଧାମି ।
ଉଲ୍ଲେଖଯୋଗ୍ୟ ଯେ, ଧାମି ପୂର୍ବରୁ ଦୁଇ ଥର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଉଦ୍ଧମ ସିଂ ନଗର ଜିଲ୍ଲାର ଖତିମା ନିର୍ବାଚନ ମଣ୍ଡଳୀରୁ ବିଜୟ ହାସଲ କରି ବିଧାୟକ ହୋଇଥିଲେ । ଗତ ୨୦୧୨ ମସିହାରୁ ଧାମି ଲଗାତର ଦୁଇଥର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି ।