fbpx

ତାପଙ୍ଗ ପାହାଡରେ ବୃଦ୍ଧ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ, ୩ ଗିରଫ

ଖୋର୍ଦ୍ଧା (ଭାସ୍କର ନ୍ୟୁଜ୍‌): ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ ତାପଙ୍ଗ ହାତୀଆମୁ୍‌ରଣ୍ଡିଆ ପାହାଡ ନିକଟରେ ଘଟିଥିବା ବୃଦ୍ଧଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ହତ୍ୟାକାଣ୍ଡରେ ପୋଲି ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲ୍ଲା ଗଦିଁଆ ଥାନା ଶାଗୁଆଝର ଗ୍ରାମର ଗୋବିନ୍ଦ ବେହେରା, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ମାମୀ ନାୟକ, କୋରାପୁଟ୍‌ ଜିଲ୍ଲାର କୋଟପାଡ ଥାନା ଶୁଣ୍ଢିସାହି କେରଲାର ମାଳତୀ ବିନ୍ଧାଣୀ । ଗିରଫ ୩ ଅଭିଯୁକ୍ତମାନେ ହେଉଛନ୍ତି ଦିନ ମଜୁରିଆ ବୋଲି ପୋଲିସ ସୂଚନା ଦେଇଛି ।

ଘଟଣାରୁ ପ୍ରକାଶ ଗତ ୫ତାରିଖରେ ବାଘଟାଙ୍ଗୀ ତାପଙ୍ଗ ଗ୍ରାମର ରାଉଳ ନାୟକଙ୍କ ମୃତ ଦେହ ତାପଙ୍ଗ କବାଟ ଶୁଣି ମନ୍ଦିର ନିକଟରୁ ମିଳିଥିଲା । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଥିଲା । ଏନେଇ ମୃତ ବୃଦ୍ଧଙ୍କ ପୁଅ ମିଥୁନ ନାୟକ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ ଆଣିଥିଲେ । ଏହି ଘଟଣାରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ବୃଦ୍ଧଙ୍କୁ ହତ୍ୟା କରିଥିବା ୩ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା । ମୃତଦେହ ମିଳିବା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ରକ୍ତ ନମୁନା ଓ ନିକଟରେ ପଡିଥିବା ବାଉଁଶର ବାଡି ଓ ଏକ ଛୋଟ ଶାବଳ ଜବତ କରିଥିଲା । ପରେ ଘଟଣାର ଛାନ୍‌ଭିନ୍‌ କରାଯାଇ ପୋଲିସ ଏହି ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭିନ୍ନ ସମୟରେ ରାଉଳଙ୍କ ସହ ଉକ୍ତ ୩ଅଭିଯୁ୍‌କ୍ତଙ୍କ ଗଣ୍ଡଗୋଳ ହେଉଥିଲା । ଘଟଣା ଦିନ ମୃତ ରାଉଳ ମାମୀ ନାୟକ ଓ ମାଳତୀ ବିନ୍ଧାଣୀଙ୍କ ସହ ଅସଦାଚରଣ କରିବାରୁ ଘଟଣା ଏକ ଉଗ୍ର ରୂପ ଧାରଣ କରିଥିଲା ।ଏହା ପରେ ସେମାନେ ଉତ୍‌କ୍ଷିପ୍ତ ହୋଇ ଏକ ବାଉଁଶ ବାଡି ଓ ଛୋଟ ଶାବଳରେ ବୃଦ୍ଧଙ୍କ ବେକରେ ଭୁସି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ରାଉଳଙ୍କର ମୃତ୍ୟୁ ହୋଇଥିଲା ବୋଲି ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳୀନରେ ଖୋର୍ଦ୍ଧା ଏସ୍‌ପି ରାଜକିଶୋର ଡୋରା ସୂଚନା ଦେଇଥିଲେ ।

Get real time updates directly on you device, subscribe now.