fbpx

କଂଗ୍ରେସକୁ ବଡ ଝଟକା: ଦଳ ଛାଡିଲେ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ସୁସ୍ମିତା ଦେବ, ଟିଏମସିରେ ସାମିଲ ନେଇ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସାଂସଦ ତଥା ବର୍ତ୍ତମାନ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ସୁସ୍ମିତା ଦେବ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ସୁସ୍ମିତା ଦେବ ପାର୍ଟିରୁ ଇସ୍ତଫା ଦେବା କଂଗ୍ରେସକୁ ବଡ ଝଟକା ଲାଗିଛି । ଉଲ୍ଲେଖନୀୟ ଦୀର୍ଘ ସମୟରୁ ସେ ପାର୍ଟି ପ୍ରତି ଅସନ୍ତୁଷ୍ଟ ଥିଲେ । ଆସାମ ବିଧାନସଭା ନିର୍ବାଚନ ସମୟରେ ସେ ଅସନ୍ତୁଷ୍ଟ ଥିବା ଖବର ସାମ୍ନାକୁ ଆସିଥିଲା ।

ଇସ୍ତଫା ଦେବା ପୂର୍ବରୁ ସୁସ୍ମିତା ଦେବ କଂଗ୍ରେସ ପାର୍ଟିର ହ୍ୱାଟ୍ସଆପ୍ ଗ୍ରୁପକୁ ମଧ୍ୟ ଛାଡି ଦେଇଥିଲେ । ସେ ଟ୍ୱିଟରରୁ ମଧ୍ୟ ନିଜର ବାୟୋ ହଟାଇ ଦେଇଥିଲେ । ଏବେ ସେ ନିଜକୁ ବାୟୋରେ କଂଗ୍ରେସ ପାର୍ଟିର ପୂର୍ବତନ ନେତା ଦର୍ଶାଇଛନ୍ତି । ଏହି ପଦକ୍ଷେପ ସୁସ୍ମିତା ଦେବ ସେହି ସମୟରେ ଉଠାଇଛନ୍ତି, ଯେବେ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ନିଲମ୍ବିତ କଲା । ସୁସ୍ମିତା ମଧ୍ୟ ସେହି ନେତାଙ୍କ ମଧ୍ୟରୁ ଜଣେ ଯାହାଙ୍କ ଟ୍ୱିଟର ଆକାଉଣ୍ଟକୁ ରାହୁଲ ଗାନ୍ଧୀଙ୍କ ସହ ସସପେଣ୍ଡ କରାଯାଇଥିଲା ।

ସୂଚନାଯୋଗ୍ୟ, ସୁସ୍ମିତା ଦେବ ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ଆସାମର ସିଲଚର ଆସନରୁ ନିର୍ବାଚନ ଲଢି ସାଂସଦ ହୋଇଥିଲେ । ଏହା ପରେ ତାଙ୍କୁ ସର୍ବ ଭାରତୀୟ ମହିଳା କଂଗ୍ରେସର କାର୍ଯ୍ୟଭାର ମଧ୍ୟ ଦିଆଯାଇଥିଲା । ମାତ୍ର ଆସାମ ବିଧାନସଭା ନିର୍ବାଚନରେ ପରାଜୟ ପରେ ସୁସ୍ମିତାଙ୍କ ଇସ୍ତଫା କଂଗ୍ରେସ ପାଇଁ ବହୁତ ବଡ ଝଟକା ହୋଇଛି ।

ସୂତ୍ର ଅନୁଯାୟୀ, ସୁସ୍ମିତା ଦେବ ତୃଣମୂଳ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଶୀଘ୍ର ସେ ମମତା ବାନାର୍ଜୀ ଓ ଅଭିଷେକ ବାନାର୍ଜୀଙ୍କୁ ଭେଟି ପାରନ୍ତି ।

Get real time updates directly on you device, subscribe now.