fbpx

ଓଡ଼ିଶାରେ ସୁସ୍ଥ ଅପେକ୍ଷା ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା: ଫୋନ୍ କଲେ ଘରକୁ ଯାଇ ଦିଆଯିବ କରୋନା ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ୫ ଶହରୁ ୬ ଶହ ମଧ୍ୟରେ ଦୈନିକ ସଂକ୍ରମଣ ରହୁଛି । ତେବେ ସୁସ୍ଥଙ୍କ ସଂଖ୍ୟା ଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ପଜିଟିଭ୍ ହାର ୦.୭୬ ପ୍ରତିଶତ ରହିଥିବା ବେଳେ ୯ଟି ଜିଲ୍ଲାରେ କରୋନାର ଦୈନିକ ସଂକ୍ରମଣ ୧୦ ଉପରେ ରହିଛି । ରାଜଧାନୀ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତା ବଢ଼ିଯାଇଛି । ତେଣୁ ଆଗକୁ ଯେଉଁଠି ସଂକ୍ରମଣ ବଢ଼ିବ, ସେ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ ବୋଲି କହିଛନ୍ତି ଡିଏମଇଟି ପ୍ରଫେସର ଡା. ସିବିକେ ମହାନ୍ତି ।

ପୂର୍ବରୁ ସଂକ୍ରମଣ ବଢ଼ିଥିବା କିଛି ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ଗତ ଏକ ସପ୍ତାହ ଧରି ରାଜ୍ୟରେ ସଂକ୍ରମଣ ଉପର ତଳ ହେଉଛି । ରାଜଧାନୀରେ ଲୋକଙ୍କ କୋଭିଡ୍ କଟକଣାକୁ ବେଖାତିର ପାଇଁ ଏସବୁ ହେଉଛି ବୋଲି କୁହାଯାଇଛି । ସେହିପରି ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ମୋଟ ୩ କୋଟି ଉପରେ ଡୋଜ୍ ଦିଆସରିଲାଣି । ୨ କୋଟି ୩୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍ ଓ ୯୧ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍ ନେଇସାରିଲେଣି । ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କ ମାଧ୍ୟମରେ ଟିକାକରଣକୁ ବୃଦ୍ଧି କରିବାକୁ ପ୍ରୟାସ କରାଯାଉଛି । ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଭିନ୍ନକ୍ଷମ, ବୟସ୍କ, ଶଯ୍ୟାଶାୟୀ ବ୍ୟକ୍ତିଙ୍କ ଘରକୁ ଯାଇ ଟିକା ଦେବାକୁ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଫୋନ୍ କଲେ ଘରକୁ ଯାଇ ଟିକା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.