BMCର ସବୁ ଅଧିକାରୀଙ୍କ ଛୁଟି ବାତିଲ୍: ସମ୍ଭାବ୍ୟ ବାତ୍ୟା ପାଇଁ ବୈଠକରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୩ ତାରିଖରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୯ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ୨୧ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୨ ତାରିଖରେ ତାହା ଘୂର୍ଣ୍ଣିଝଡ଼ର ରୂପ ନେଇ ୨୩ରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଏହାପରେ ୨୪ ତାରିଖ ସକାଳ ସୁଦ୍ଧା ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ବାତ୍ୟାକୁ ନେଇ ଏସଆରସି ଆଗକୁ ସତର୍କ କରିଥିବା ବେଳେ ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୋସିଆଲ ମିଡ଼ିଆରେ ଏକ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ୨୪ ତାରିଖ ଦିନ ୧୦୦-୨୦୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବା କୁହାଯାଇଛି ।

ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନରଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ନେଇ ଏକ ପ୍ରସ୍ତୁତି ବୈଠକ ବସିଥିଲା । ବାତ୍ୟା ମୁକାବିଲା ପାଇଁ ବିଏମସିର ସବୁ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଡ୍ରେନେଜ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ତଳିଆ ଅଞ୍ଚଳରେ ଯେପରି ପାଣି ନଜମେ ସେଥିପାଇଁ ଧ୍ୟାନ ଦେବାକୁ କୁହାଯାଇଛି । ଏଥିସହିତ ପମ୍ପସେଟ ସଜାଗ ରଖିବାକୁ କୁହାଯାଇଛି । ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯିବା ସହ ୱାର୍ଡ ଉପରେ ନଜର ରଖିବାକୁ ସମସ୍ତ ଜୋନ ଅଧିକାରୀଙ୍କୁ କୁହାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟ ସ୍ଥାନ ଚିହ୍ନଟ କରି ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।