fbpx

ତପନର ଯଶୋଦା ମା’ ପାଲଟିଛନ୍ତି ଅନୁପମା

କଟକ(ଓଡ଼ିଶା ଭାସ୍କର): ସେ ଜନ୍ମ ହେଉ ହେଉ ହରାଇଲା ମା’କୁ। ଅସହାୟ ହୋଇ ପଡ଼ିଗଲା ଗଛ ଉପରୁ କଅଁଳ ଶିଶୁ, କୁଆଡ଼େ ଯିବ! ଦୁନିଆ ଦେଖିବା ଆଗରୁ ମାଡ଼ି ଆସିଲା ଜୀବନ ପ୍ରତି ବିପଦ। ହେଲେ ସୌଭାଗ୍ୟକୁ ସେ ଜନ୍ମ ହେଇଥିଲା କଟକ ବଡ଼ ମେଡିକାଲ୍ ପରିସରରେ। ତାକୁ ଉଦ୍ଧାର କଲେ WeCare ସ୍ୱେଚ୍ଛାସେବୀ ଦଳ। ଅସହାୟ ରୋଗୀଙ୍କୁ ସହାୟ ଲାଗି ଦେବା ଭଳି କଅଁଳ ଶିଶୁକୁ ଆଣି ‘ସହାୟ’ର ଅନୁପମା’ଙ୍କ ହାତରେ ଟେକିଦେଲେ। ବାସ୍ ଛୁଆକୁ ମା’ ମିଳିଗଲା। ସତରେ ଉପମା ବା ତୁଳନା ନାହିଁ ଯାହାର ସେ ଅନୁପମା। ଅସହାୟ ରୋଗୀ, ଅପରିଚିତ ଅନେକଙ୍କୁ ନିଃସଂକୋଚରେ ସହାୟ ହୋଇଆସୁଛନ୍ତି ସୁଶ୍ରୀ ଅନୁପମା ପଣ୍ଡା। ତାଙ୍କର ଉତ୍ସର୍ଗୀକୃତ ସେବାକର୍ମ ଆଉ ଅନ୍ୟାନ୍ୟ ସୁକୃତିକୁ ସ୍ୱୀକୃତି ଦେଇ ଏକ ଅନୁଷ୍ଠାନ ଅନନ୍ୟା ଅନୁପମା ସମ୍ମାନ ଦେଇଛି ୨୦୦୭ରୁ।

କେବଳ ରୋଗୀ-ଅସହାୟ ମଣିଷ ନୁହନ୍ତି ସେ ଯେକୌଣସି ପ୍ରାଣୀଟେ ହେଉ ତାକୁ ସ୍ନେହ ଆଦର ଯତ୍ନ କରିବାରେ ଟିକେ ବି ଅବହେଳା କରନ୍ତିନି ଅନୁପମା। କଟକ ବଡ଼ ମେଡିକାଲ୍ କାଜୁଆଲିଟି ସାମ୍ନାରେ ରହିଛି ସୂଚନା କେନ୍ଦ୍ର ଆଉ ସେଠାରେ “ସହାୟ” ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟରତ ଅନୁପମା। କେବଳ ସେ ନୁହନ୍ତି ପ୍ରାୟ ୨୦ଜଣ ସ୍ୱେଚ୍ଛାସେବୀଙ୍କୁ ଲିଡ୍ ଓ ଗାଇଡ୍ କରୁଛନ୍ତି ସେ। ଛୋଟିଆ ଗୁଣ୍ଡୁଚିଟେ ମା’ଠାରୁ ଅଲଗା ହୋଇଯାଇଛି ଆଉ ତାର ମା’ ବନିଛନ୍ତି ଅନୁପମା, ନାଁ ଦେଇଛନ୍ତି – ତପନ। ଗତ ରବିବାର ପାଇଥିଲେ ତାକୁ ଓ ବାର ଅନୁସାରେ ନାଁ ଦେଇଛନ୍ତି ତପନ।ସତରେ ମା’ ଯଶୋଦା ଭଳି ଲାଳନ ପାଳନ କରୁଛନ୍ତି। ରୋଗୀ ସେବାର ଗୁରୁ ଦାୟିତ୍ୱ ଓ ଲୋକଙ୍କୁ ମେଡିକାଲ୍ ସମ୍ପର୍କରେ ସୂଚନା ଦେବା ଭିତରେ ଗୁଣ୍ଡୁଚି ତପନର ଯତ୍ନ ନେବାରେ ସେ ଅବହେଳା କରୁନାହାନ୍ତି।


ଅନୁପମାଙ୍କ ନିଚ୍ଛକ ଭଲ ପାଇବା ଓ ଆପଣାଇନବା କଳା ପ୍ରକୃତି ପ୍ରଦତ୍ତ। ରାସ୍ତାକଡ଼ର କୁକୁର ହେଉ କି ଅପରିଚିତ ଘରେ ଥିବା ବିଲେଇଟେ, କୋଉଠି ଶୋଇଥିବା ଗାଈ-ବାଛୁରୀଟେ ହେଉ ଅବା ଛେଳି-ମେଣ୍ଢା ସମସ୍ତଙ୍କୁ ସହଜେ ନିଜର କରିନିଅନ୍ତି ଅନୁପମା। ସେମାନେ ମଧ୍ୟ ସତେ ଯେମିତି ତୋତେ ତାଙ୍କୁ ଖୋଜନ୍ତି ବୋଲି ମନେହୁଏ। ସେବାର ଜୀବନ୍ତ ପ୍ରତୀକ ଅନୁପମା ଜଣେ ସୁଲେଖିକା ମଧ୍ୟ, ଆକାଶବାଣୀ ତଥା ରେଡିଓ ସହ ତାଙ୍କର ବହୁ ପୁରୁଣା ସୁସମ୍ପର୍କ। ପୂର୍ବରୁ ୬ନଂ ମେଡିକାଲରେ ସେ ଉଲ୍ଲେଖନୀୟ ସେବା କାର୍ଯ୍ୟ କରି ସବୁ ମହଲରେ ପ୍ରଂଶସିତ ହୋଇଛନ୍ତି। ଏଭଳି ଅନନ୍ୟା ମା’ ବିରଳ। ଅନୁପମା ମାଡାମ୍ ଏମିତି ସେବାରେ ବ୍ରତୀ ରହିଥାନ୍ତୁ। ଆମ ପରିବାର ତରଫରୁ ତାଙ୍କୁ ଶୁଭେଚ୍ଛା ଓ ସାଧୁବାଦ।

Get real time updates directly on you device, subscribe now.