ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସହଦେବ ଟିକରପଡ଼ା ଗ୍ରାମପଞ୍ଚାୟତର ଉସ୍ତପଲ୍ଲୀ ଗାଁରେ ଝାଡ଼ାବାନ୍ତି (ହଇଜା) ଆତଙ୍କ ଜାରି ରହିଛି। ଗତକାଲି (ଜୁଲାଇ ୬, ୨୦୨୫) ଏହି ରୋଗରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ, ଆଜି (ଜୁଲାଇ ୭, ୨୦୨୫) ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ପ୍ରକାଶ ପାଇଛି। ମୃତକ ଦିଗପହଣ୍ଡି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଏହି ଗାଁରେ ଝାଡ଼ାବାନ୍ତି ଯୋଗୁଁ ମୋଟ ୨୦ରୁ ଅଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି। ଏହାମଧ୍ୟରୁ ୧୦ ଜଣ ଗୁରୁତର ଆକ୍ରାନ୍ତଙ୍କୁ ବ୍ରହ୍ମପୁର ଏବଂ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଗତ ୪ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଦୂଷିତ ପାଣି ଏହି ରୋଗ ବ୍ୟାପିବାର ମୁଖ୍ୟ କାରଣ ହୋଇଥିବା ସନ୍ଦେହ କରାଯାଉଛି।
ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଣିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି। ଏହାସହ, ରୋଗ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜରୁରୀ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ତେବେ, ଏହି ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ଓ ପରିଷ୍କାର ପାଣି ଯୋଗାଣ ନେଇ ସ୍ଥାନୀୟ ପ୍ରଶାସନ ଉପରେ ଅସନ୍ତୋଷ ଦେଖାଦେଇଛି।