ନୂଆଦିଲ୍ଲୀ: ଅନେକ ସମୟରେ ସରକାରୀ ଅଫିସର କିଛି ଅଧିକାରୀଙ୍କ ଖାମଖିଆଲି ପାଇଁ ଶହ ଶହ ଛାତ୍ରଛାତ୍ରୀଙ୍କ ଜୀବନ ଅନ୍ଧକାଳ ମଧ୍ୟକୁ ଚାଲିଯାଇଥାଏ । ତେବେ ନିକଟରେ ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁରର ଏକ କଲେଜରେ । ୨୦୦ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ପୋଷ୍ଟ ଅଫିସରୁ କୁଆଡ଼େ ଗାଏବ୍ ହୋଇଯାଇଛି ।
ପିଲାମାନଙ୍କର ପରୀକ୍ଷା ସରିବା ପରେ ଏହିସବୁ କପି କାନପୁର ୟୁନିଭରସିଟିକୁ ପଠାଯାଇଥିଲା । ତେବେ ପାଖାପାଖି ୩ ମାସ ପରେ ମଧ୍ୟ କପିଗୁଡ଼ିକ ୟୁନିଭରସିଟିରେ ପହଞ୍ଚିନଥିଲା । କାନପୁର ପୋଷ୍ଟ ଅଫିସର ଲାପରବାହୀ କାରଣରୁ ଏପରି ଘଟଣା ଘଟିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି । ଐରୈୟାର ଦିବିୟାପୁର ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀଙ୍କ ସହ ଏପରି ଘଟିଥିବା ଜଣାପଡ଼ିଛି ।
ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଦୁଇଶହ ଛାତ୍ରଛାତ୍ରୀଙ୍କ ରେଜଲ୍ଟ କ’ଣ ହେବ ସେନେଇ ଚିନ୍ତା ବଢ଼ିଯାଇଛି । ଏହି ଘଟଣାରେ ପୋଷ୍ଟାଲ ମୁଖ୍ୟାଳୟର ଦୁଇଜଣ ଅଧିକାରୀଙ୍କୁ କାର୍ଯ୍ୟରୁ ସସପେଣ୍ଡ କରି ଦିଆଯାଇଛି । ଏଥିରେ ଛାତ୍ରଛାତ୍ରୀଙ୍କର କୌଣସି ଭୁଲ ନଥିବା ବେଳେ ସବୁ ଭୁଲ ପୋଷ୍ଟାଲର ବୋଲି ଜଣାପଡ଼ିଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ’ଣ ହେବ ସେନେଇ ସମସ୍ତଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି ।