ନୂଆଦିଲ୍ଲୀ: ଗତ କିଛିଦିନ ଧରି ଦେଶର ଯବାନମାନେ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି । ଗୋଟିଏ ପଟେ ଆତଙ୍କବାଦୀଙ୍କ ଆକ୍ରମଣରେ ଏକାଧିକ ଯବାନ ସହିଦ ହେଉଥିବା ବେଳେ ଦୁର୍ଘଟଣାରେ ମଧ୍ୟ କିଛି ଯବାନ ଅକାଳରେ ସହିଦ ହେଉଛନ୍ତି । ତେବେ ଆଜି ଏକ ବଡ଼ ସଡ଼କ ଦୁର୍ଘଟଣା ଘଟି ଜଣେ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କ ମୃତ୍ୟୁ ଘଟିବା ସହିତ ୬ ଜଣ ଆହତ ହୋଇଛନ୍ତି ।
ସୂଚନା ମୁତାବକ, ଜମ୍ମୁ କଶ୍ମୀରର ପୁଞ୍ଚ ଅଞ୍ଚଳରେ ଆଜି ସନ୍ଧ୍ୟା ସମୟରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଆର୍ମି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ବିଏସଏଫ ଯବାନ ସହିଦ ହେବା ସହିତ ୬ ଜଣ ଆହତ ହୋଇଛନ୍ତି । ଜମ୍ମୁ କଶ୍ମୀରର ମଙ୍କୋଟ ସେକ୍ଟରରେ ଆଜି ଏହି ଅଘଟଣ ଘଟିଥିଲା । ତେବେ ସମସ୍ତ ଆହତ ଯବାନଙ୍କୁ ନିକଟସ୍ଥ ଆର୍ମି ମେଡିକାଲ କ୍ୟାମ୍ପରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ଫଳରେ ୪ ଜଣ ଯବାନଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମାସ ୨୯ ତାରିଖରେ ମଧ୍ୟରେ ଏକ ବଡ଼ ଅଘଟଣ ଘଟିଥିଲା । ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ଆର୍ମି ଗଡ଼ି ଏକ ବିରାଟ ଗାତ ମଧ୍ୟକୁ ଖସି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଦୁଇଜଣ ଯବାନ ସହିଦ ହେବା ସହିତ ଅନ୍ୟ କିଛି ଯବାନ ଆହତ ହୋଇଥିଲେ । ଏହା ପୂର୍ବରୁ ଗତ ଜାନୁଆରୀ ମାସ ୧୧ ତାରିଖରେ ମଧ୍ୟ କୁପୱାଡ଼ା ଜିଳ୍ଲା ମଚ୍ଛଲ ସେକ୍ଟରରେ ସୁରକ୍ଷାକର୍ମୀମାନେ ପାଟ୍ରେଲିଂ କରିବା ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟି ୩ ଜଣ ଯବାନ ସହିଦ ହୋଇଥିଲେ ।