ବ୍ୟାଙ୍କକ୍,୨୮ା୩: ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଥିଲା। ଶକ୍ତିଶାଳୀ ଭୂକମ୍ପ ଫଳରେ କୋଠାଗୁଡ଼ିକ ଭୁଶୁଡି ପଡ଼ିଛି। ୪୩ ଜଣ ଲୋକ ନିଖୋଜ ଅଛନ୍ତି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଏବଂ ଜର୍ମାନୀର ଭୂତତ୍ତ୍ୱ କେନ୍ଦ୍ର କହିଛି ଯେ, ଭୂକମ୍ପ ୧୦ କିଲୋମିଟର ଗଭୀରତାରେ ଆସିଥିଲା, ଯାହାର କେନ୍ଦ୍ରସ୍ଥଳ ପଡ଼ୋଶୀ ମିଆଁମାରରେ ଥିଲା। ଆସନ୍ତା୨୪ ଘଣ୍ଟା ମଧ୍ୟରେ ଅଧିକ ଭୂକମ୍ପ ହୋଇପାରେ ବୋଲି ସରକାର ଚେତାବନୀ ଦେଇଛନ୍ତି।
ଭୂକମ୍ପ ପରେ ପ୍ରଥମେ ସତର୍କତାମୂଳକ ପଦକ୍ଷେପ ଭାବରେ ବ୍ୟାଙ୍କକରେ ଟ୍ରେନ୍ ସେବା ବାତିଲ କରାଯାଇଥିଲା, ଏହା ପରେ ବ୍ୟାଙ୍କକ୍ ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଦୁଇ ଘଣ୍ଟା ବନ୍ଦ ରହିଥିଲା।
ଭୂକମ୍ପ ପରେ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ବ୍ୟାଙ୍କକକୁ ଏକ ଜରୁରୀକାଳୀନ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି। ସହରର ଚାଟୁଚାକ୍ ପାର୍କ ଅଞ୍ଚଳରେ ଏକ କୋଠା ଭୁଶୁଡ଼ିବା ପରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ସହରରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିବୃତ୍ତି ଅନୁଯାୟୀ, ବ୍ୟାଙ୍କକକୁ ତୁରନ୍ତ ଜରୁରୀକାଳୀନ ଅଞ୍ଚଳ ଭାବରେ ଘୋଷଣା କରିବାକୁ ତଥା ଦେଶର ସମସ୍ତ ରାଜ୍ୟକୁ ଜରୁରୀକାଳୀନ ପରିସ୍ଥିତି ବୋଲି ବିବେଚନା କରିବାକୁ ପ୍ରଧାନମନ୍ତ୍ରୀ ଗୃହ ମନ୍ତ୍ରଣାଳୟକୁ ସୂଚନା ଦେଇଛନ୍ତି।
ମିଆଁମାରର ବୃହତ୍ତମ ସହର ୟାଙ୍ଗୋନରେ ରହୁଥିବା ଜଣେ ବ୍ୟକ୍ତି କହିଛନ୍ତି,ସେ ଦୀର୍ଘ ସମୟ ଧରି ଭୂକମ୍ପ ଅନୁଭବ କରିଥିଲେ। ସେ କହିଛନ୍ତି, ରାଜଧାନୀର ଡାଉନ୍ ଟାଉନ୍ ଅଞ୍ଚଳରେ ଅଧିକ କ୍ଷତି ହୋଇନାହିଁ। ଆଗାମୀ ଦିନରେ ଆଉ ଏକ ବଡ଼ ଭୂକମ୍ପ ହେବାର ସମ୍ଭାବନାକୁ ନେଇ ଏହି ଅଞ୍ଚଳରେ ରହୁଥିବା ଲୋକମାନେ ଚିନ୍ତିତ ଅଛନ୍ତି ବୋଲି ସେ କହିଛନ୍ତି।