ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ପାଇଁ ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ। କଡ଼ା ନଜର ରଖିବେ ୧୨ ପାରା କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ଫୋର୍ସ। ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନର ଦେବଦତ୍ତ ସିଂ ସୂଚନା ଜାରି କରିଛନ୍ତି।
ପୋଲିସ କମିଶନର କହିଛନ୍ତି ଯେ, ଟ୍ରାଫିକ ପରିଚାଳନା ସହ ଅତିଥିଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ। ନିର୍ଦ୍ଦିଷ୍ଟ ଏଜେନ୍ସିଙ୍କ ଦାୟିତ୍ୱରେ ରହିବେ ଅତିଥି। ପର୍ଯ୍ୟଟନସ୍ଥଳୀ ବୁଲିବା ବେଳେ ସୁରକ୍ଷା ବ୍ୟବସ୍ଥା କରାଯିବ। ଏଥିପାଇଁ ଗୁଇନ୍ଦା ଏଜେନ୍ସିଙ୍କ ନଜରରେ ରହିବ ଭୁବନେଶ୍ୱର। ଏହି ଦିବସରେ ଆଣ୍ଟି ଟେରର ସ୍କ୍ୱାଡ୍ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ।
୨୦୨୫ ଜାନୁଆରୀ ୮ରୁ ୧୦ ଯାଏ ସ୍ଥାନୀୟ ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ଅନୁଷ୍ଠିତ ହେବ। ସମାରୋହ ଆୟୋଜନ ପାଇଁ ବହିର୍ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହେବ। ପ୍ରବାସୀ ଭାରତୀୟ ଦିବସରେ ପ୍ରାୟ ୫୦୦୦ ଅଂଶଗ୍ରହଣକାରୀ ଭାଗନେବେ। କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବହିର୍ବ୍ୟାପାର ମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ, ଦେଶବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରବାସୀ ଭାରତୀୟ ଯୋଗଦେବେ।
ସମ୍ମିଳନୀର ପ୍ରଥମ ଦିବସରେ ‘ଯୁବ ପ୍ରବାସୀ ଭାରତୀୟ ଦିବସ’, ୨ୟ ଦିବସରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ମୁଖ୍ୟ ସମାରୋହ ଓ ୩ୟ ଦିବସରେ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହେବ। ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ଯୋଗଦେଇ ପ୍ରବାସୀ ଭାରତୀୟ ତୀର୍ଥ ଏକ୍ସପ୍ରେସ୍ର ଡିଜିଟାଲ ଫ୍ଲାଗଅପ୍ କରିବା କାର୍ଯ୍ୟକ୍ରମ ରହିଛି। ସମସ୍ତ ଦିବସରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ।