fbpx

ଶରଦ ପାୱାରଙ୍କୁ ବଡ଼ ଝଟକା, ଅଜିତ ପାୱାରଙ୍କ ଗୋଷ୍ଠୀ ପ୍ରକୃତ ଏନ୍‌ସିପି: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହିଁ ପ୍ରକୃତ ଏନସିପି(ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି)ବୋଲି ନିର୍ବାଚନ କମିଶନ ମଙ୍ଗଳବାର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏହା ସହ ଅଜିତ ପାୱାର ଗୋଷ୍ଠୀ ଏନସିପିର ଦଳୀୟ ନାମ ଏବଂ ନିର୍ବାଚନ ଚିହ୍ନ(ଘଣ୍ଟା) ବ୍ୟବହାର କରିବାକୁ ହକଦାର । ସମସ୍ତ ପ୍ରମାଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ତରଫରୁ ସ୍ପଷ୍ଟ କରାଯାଇଛି । ନିର୍ବାଚନ କମିଶନଙ୍କ ଏହି ଘୋଷଣା ଶରଦ ପାୱାରଙ୍କ ପାଇଁ ବଡ଼ ଝଟକା ଦେଇଛି ।

ସୂଚନାରୁ ପ୍ରକାଶ ଯେ ୨୦୨୩ ଜୁଲାଇ ୨ରେ ଅଜିତଙ୍କ ନେତୃତ୍ୱରେ ଏନସିପିର ୯ ଜଣ ବିଧାୟକ ଦଳ ତ୍ୟାଗ କରି ମହାରାଷ୍ଟ୍ର ମେଣ୍ଟ ସରକାର(ଶିବସେନା- ସିନ୍ଦେ ଗୋଷ୍ଠୀ ଏବଂ ବିଜେପି)ରେ ସାମିଲ ହୋଇଥିଲେ । ଫଳରେ ଅଜିତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିଥିଲା । ତେବେ ଉଭୟ ଶରଦ ଓ ଅଜିତ ଗୋଷ୍ଠୀ ଦଳୀୟ ନାମ ଓ ନିର୍ବାଚନ ସଙ୍କେତ ପାଇବାକୁ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ୬ ମାସ ଧରି ଚାଲିଥିବା ୧୦ରୁ ଅଧିକ ଶୁଣାଣି ପରେ ନିର୍ବାଚନ କମିଶନ ମଙ୍ଗଳବାର ଏହି ରାୟ ପ୍ରକାଶ କରିଛନ୍ତି । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଏନ୍‌ସିପିକୁ ନେଇ ନିର୍ବାଚନ କମିସନଙ୍କ ରାୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ଏହା ଅଜିତ ଗୋଷ୍ଠୀକୁ ବହୁତ ବଡ଼ ଫାଇଦା ଦେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ନିର୍ବାଚନ କମିସନଙ୍କ ନିଷ୍ପତ୍ତିକୁ ଚ୍ୟାଲେଂଜ କରିବା ପାଇଁ ଶରଦ ପାୱାର ଗୋଷ୍ଠୀ ସଜବାଜ ହେଉଛନ୍ତି।

 

Get real time updates directly on you device, subscribe now.