fbpx
BSKY
BJD YOUTH SKY
BJD MS SKY

ସାଗର ହତ୍ୟା ମାମଲାରେ ବଢିବାରେ ଲାଗିଛି ସୁଶୀଲଙ୍କ ଅଡୁଆ, ବନ୍ଧୁକ ଲାଇସେନ୍ସ ରଦ୍ଦ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ : ସାଗର ରାଣା ହତ୍ୟା ମାମଲାରେ ଅଲିମ୍ପିକ ପଦକ ବିଜେତା କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କ ଅଡୁଆ ବଢିବାରେ ଲାଗିଛି । ଦିଲ୍ଲୀ ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛି । ଏବେ ପୋଲିସ ସୁଶୀଲ କୁମାରଙ୍କ ବନ୍ଧୁକ ଲାଇସେନ୍ସ ରଦ୍ଦ କରିଛି । ଲାଇସେନ୍ସ ବିଭାଗ ଏହାର ପ୍ରକ୍ରିୟା ଆରମ୍ଭ କରି ଦେଇଛି ।

ଗତ ଶନିବାର ଦିଲ୍ଲୀର ରୋହିଣୀ କୋର୍ଟ ସୁଶୀଲ କୁମାର ଓ ତାଙ୍କ ସାଙ୍ଗ ଅଜୟ କୁମାରଙ୍କ ରିମାଣ୍ଡ ଅବଧିକୁ ଚାରି ଦିନ ପାଇଁ ବଢାଇଥିଲେ । ଏହି ହତ୍ୟାକାଣ୍ଡରେ ଏ ପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରାଗଲାଣି । ରିମାଣ୍ଡ ସମୟରେ ଜେରା ବେଳେ ସୁଶୀଲ କେତେବେଳେ ପୋଲିସକୁ ସହାୟତା କରୁଛନ୍ତି ତ କେତେବେଳେ କରୁନଥିବା ଅଭିଯୋଗ ହୋଇଛି ।

୩୮ ବର୍ଷୀୟ ପହିଲମାନ ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀ ଅଜୟଙ୍କୁ ଦିଲ୍ଲୀ ପୋଲିସର ସ୍ପେପାଲ ସେଲର ଏକ ଟିମ୍ ମେ ୨୩ରେ ଦିଲ୍ଲୀର ମୁଣ୍ଡକା ଅଂଚଳରୁ ଗିରଫ କରିଥିଲେ । ଦୁଇ ଅଭିଯୁକ୍ତ ମେ ୪ ସାଗରଙ୍କ ହତ୍ୟା ପରଠୁ ଫେରାର ଥିଲେ । ପ୍ରାୟ ୨୦ ଦିନର ଲୁଚକାଳି ଖେଳ ପରେ ଦୁଇ ଜଣ ପୋଲିସ ପଞ୍ଝାକୁ ଆସିଥିଲେ । ସୁଶୀଲଙ୍କ ଉପରେ ପୋଲିସ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ।

ଏହା ପୂର୍ବରୁ ସୁଶୀଲଙ୍କୁ ଉତର ରେଲୱେ ଚାକିରିରୁ ନିଲମ୍ବିତ କରିଛି । ଏହା ବ୍ୟତୀତ ଅନ୍ତର୍ଜାତୀୟ ଏବଂ ଜାତୀୟ ସ୍ତରରେ ମିଳିଥିବା ପଦକ ଏବଂ ସମ୍ମାନ ପ୍ରତ୍ୟାହାର କରି ନେବାକୁ ମଧ୍ୟ ବିଭିନ୍ନ ମହଲରୁ ଦାବି ଉଠିଛି । ଦିନକୁ ଦିନ ସୁଶୀଲଙ୍କ ମୁସ୍କିଲ ବଢିବାରେ ଲାଗିଛି । ଏପରିକି ତାଙ୍କର ଜଣେ ସାଙ୍ଗ ସରକାରୀ ସାକ୍ଷୀ ହେବାକୁ ପ୍ରସ୍ତୁତ ହୋଇ ଯାଇଛନ୍ତି । ଏଥିରେ ସୁଶୀଲଙ୍କ ଗ୍ୟାଙ୍ଗୱାରଙ୍କ ସହ ରହିଥିବା ସଂପର୍କର ଆହୁରି ଖୁଲାସା ହେବ ବୋଲି କୁହାଯାଉଛି ।

ଉଲ୍ଲେଖଯୋଗ୍ୟ, ମେ ୪ରେ ସୁଶୀଲ ଓ ତାଙ୍କ ସହଯୋଗୀ ସାଗର ରାଣା ଏବଂ ତାଙ୍କ ଦୁଇ ସାଙ୍ଗକୁ ବନ୍ଧୁକ ମୁନରେ ଅପହରଣ କରି ଛତ୍ରସାଲ ଷ୍ଟାଡିୟମ ଆଣିଥିଲେ । ଏଠାରେ ସ୍ଥିତ ପାର୍କିଂରେ ତିନି ଜଣଙ୍କୁ ନିର୍ମମ ମାଡ ମାରିଥିଲେ । ଆକ୍ରମଣରେ ସାଗର ରାଣା ଗୁରୁତର ଆହତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରଠୁ ସୁଶୀଲ ଓ ଅଜୟ ଫେରାର ଥିଲେ ।

Get real time updates directly on you device, subscribe now.