fbpx

ପରୀକ୍ଷା ସମୟରେ ଦିବ୍ୟାଙ୍କ ବିଦ୍ୟାର୍ଥୀମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପୋର୍ଟାଲ୍ ଖୋଲିଲା ସିବିଏସ୍‌ଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ୨୦୨୩ ବୋର୍ଡ ପରୀକ୍ଷା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ, ସିବିଏସ୍‌ଇ ପକ୍ଷରୁ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ର(ସିଡବ୍ଲ୍ୟୁଏସଏନ)ମାନଙ୍କ ପାଇଁ ଏକ ପୋର୍ଟାଲ୍ ଖୋଲିଛି । ପରୀକ୍ଷା ସମୟରେ ସୁବିଧା ଏବଂ ରିହାତି ପାଇବାକୁ ବିଭାଗ ପକ୍ଷରୁ ଏହି ପୋର୍ଟା ଖୋଲାଯାଇଛି । ଜାରି କରାଯାଇଥିବା ବିଜ୍ଞପ୍ତିରେ ସିବିଏସ୍‌ଇ ଦର୍ଶାଇଛି ଯେ, ଅଫିସିଆଲ ସିବିଏସ୍‌ଇ ପରୀକ୍ଷା ସଙ୍ଗମ ପୋର୍ଟାଲରେ ସମସ୍ତ ବିଦ୍ୟାଳୟରେ ଥିବା ସିଡବ୍ଲ୍ୟୁଏସଏନ ଛାତ୍ରଛାତ୍ରୀଙ୍କ ସମସ୍ତ ବିବରଣୀ ପ୍ରଦାନ କରିବା ଜରୁରୀ ଅଟେ ।

ଅଫିସିଆଲ ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, ଯଦି ପରୀକ୍ଷା ସମୟରେ ସିବିଏସ୍‌ଇ ଦ୍ୱାରା ଅନୁମତି ପ୍ରାପ୍ତ କୌଣସି ରିହାତି ଏବଂ ସୁବିଧା ପାଇବାକୁ ସିଡବ୍ଲ୍ୟୁଏସଏନ ଛାତ୍ରମାନେ ଚାହାଁନ୍ତି, ତେବେ ବୋର୍ଡକୁ ଅନୁରୋଧ କରିବା ପାଇଁ ସିବିଏସ୍‌ଇ ଦ୍ୱାରା ପ୍ରସ୍ତୁତ ହୋଇଥିବା ୱେବ୍ ପୋର୍ଟାଲ୍ parikshasangam.cbse.gov.in ମାଧ୍ୟମରେ ମଧ୍ୟ ଏହା କରାଯାଇପାରିବ ।

ତେବେ ପରୀକ୍ଷା ସଙ୍ଗମ ବିଷୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ସିବିଏସ୍‌ଇ ସମସ୍ତ ବିଦ୍ୟାଳୟକୁ କହିଛି । ବିଦ୍ୟାଳୟଗୁଡ଼ିକ ସେମାନଙ୍କର ସିବିଏସ୍‌ଇ ଆଇଡି ଏବଂ ପାସୱାର୍ଡ ଦେଇ ବୋର୍ଡ ପରୀକ୍ଷା ୨୦୨୩ ସମୟରେ ରିହାତି ଏବଂ ସୁବିଧା ଆବଶ୍ୟକ କରୁଥିବା ଛାତ୍ରମାନଙ୍କର ଏକ ତାଲିକା ଦାଖଲ କରିପାରିବେ । ଏଥିପାଇଁ ବିଦ୍ୟାଳୟଗୁଡ଼ିକ ଆଜି ଅର୍ଥାତ୍ ଡିସେମ୍ବର ୨୨ ରୁ ଡିସେମ୍ବର ୩୦, ୨୦୨୨ ପର୍ଯ୍ୟନ୍ତ ସବିଶେଷ ତଥ୍ୟ ଦାଖଲ କରିପାରିବେ । ଡିସେମ୍ବର ୩୦, ୨୦୨୨ ପରେ କରାଯାଇଥିବା କୌଣସି ଅନୁରୋଧକୁ ସିବିଏସ୍‌ଇ ଗ୍ରହଣ କରିବ ନାହିଁ ।

୨୦୨୩ ପରୀକ୍ଷା ପାଇଁ ଖୁବ୍ ଶୀଘ୍ର ତାରିଖ ରିଲିଜ୍ ହେବ ବୋଲି ଆଶା କରାଯାଉଛି । ତାରିଖ ପ୍ରକାଶ ପାଇବା ପରେ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୩ ପାଇଁ ଛାତ୍ରମାନେ ଏହାକୁ ଅଫିସିଆଲ୍ ୱେବସାଇଟ୍ – cbse.gov.in ରୁ ଡାଉନଲୋଡ୍ କରିପାରିବେ । ତେବେ ୧୦ ଏବଂ ୧୨ ଶ୍ରେଣୀଗୁଡିକ ପାଇଁ ସିବିଏସ୍‌ଇ ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁୟାରୀ ୧, ୨୦୨୩ ଠାରୁ ଆରମ୍ଭ ହେବ । ସେହିପରି ଥିଓରୀ ପରୀକ୍ଷା ଫେବୃଆରୀ ୧୫, ୨୦୨୩ ରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

 

Get real time updates directly on you device, subscribe now.