fbpx

ବିକ୍ରମ ଓ ପ୍ରଜ୍ଞାନ ୭ଦିନରେ ଦେଲେଣି ୧୦ ଗୁରୁତ୍ୱପୂର୍ଣ୍ଣ ସୂଚନା, ସୂଚନା ଆଧାରରେ ଚନ୍ଦ୍ରପୃଷ୍ଠରେ ମାନବ ବସତି ସ୍ଥାପନର ବଢୁଛି ସମ୍ଭାବନା

ନୂଆଦିଲ୍ଲୀ: ଚନ୍ଦ୍ରାୟନ ୩ ଚନ୍ଦ୍ରର ଦକ୍ଷିଣମେରୁ ଅଞ୍ଚଳରେ ୨୩ ଅଗଷ୍ଟ ୨୦୨୩ରେ ଅବତରଣ କରିଥିଲା । ଆଜି ଏହି ଘଟଣାକୁ ଏକ ସପ୍ତାହ ପୁରିଗଲାଣି । ଅର୍ଥାତ୍ ଚନ୍ଦ୍ରରେ ଅଧାଦିନ ଏହା ପୁରଣ କରିସାରିଲାଣି । ଏହି ସମୟ ମଧ୍ୟରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ହାସଲ କରିଛନ୍ତି । ଏହି ସମସ୍ତ ସୂଚନା ଆଧାରରେ ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ମାନବ ବସତି ସ୍ଥାପନରେ ସହାୟତା ମିଳିଯିବ ।

୨୯ ଅଗଷ୍ଟ ରାତିରେ ପ୍ରଜ୍ଞାନ ରୋଭର ଏହି ସୂଚନା ଦେଇଥିଲା ଯେ, ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅକ୍ସିଜେନ ରହିଛି । ଏହି କାମ ସେଥିରେ ଲାଗିଥିବା ଏଲଆଇବିଏସ୍ ପେଲୋଡ୍ କରିଦେଖାଇଛି । ଏହି ଯନ୍ତ୍ରକୁ ଚନ୍ଦ୍ରପୃଷ୍ଠରେ ରହିଥିବା ଖଣିଜ ପଦାର୍ଥ ଓ ରସାୟନର ଆବିଷ୍କାର ଲାଗି ପଠାଯାଇଛି । ଏହି ଏଲଆଇବିଏସ୍ ଚନ୍ଦ୍ରପୃଷ୍ଠରେ ତୀବ୍ର ଲେଜର ରଶ୍ମି ସହାୟତାରେ ଏହି ସବୁ ଜିନିଷର ସନ୍ଧାନ କରିଛି । ଏହି ଲେଜର କିରଣ ବହୁତ ଅଧିକ ତୀବ୍ରତା ସହିତ ପଥର ଓ ମାଟିରେ ପଡିଥାଏ । ଏହାଦ୍ୱାରା ଏଠାରେ ବହୁତ ଉତ୍ତପ୍ତ ପ୍ଲାଜମା ସୃଷ୍ଟି ହୋଇଥାଏ । ପ୍ଲାଜମାରୁ ବାହାରୁଥିବା ଆଲୋକ ଚନ୍ଦ୍ରପୃଷ୍ଠରେ ଥିବା ଖଣିଜ ଓ ରସାୟନ ବିଷୟରେ ସୂଚନା ଦେଇଥାଏ ।
ଚନ୍ଦ୍ରପୃଷ୍ଠରେ ଅମ୍ଳଜାନ ମିଳିଯିବା ପରେ ଏବେ ହାଇଡ୍ରୋଜେନ ବା ଉଦଯାନର ସନ୍ଧାନ ଜାରି ରହିଛି । କାରଣ ଉଭୟ ମିଳିତ ହୋଇ ଜଳ ସୃଷ୍ଟି କରିପାରିବେ । ଅର୍ଥାତ୍ ଚନ୍ଦ୍ରରେ ମଣିଷ ବସତି ସ୍ଥାପନ କରିବା ଲାଗି ଏହି ଦୁଇ ରସାୟନର ଆବଶ୍ୟକତା ପଡିବ । ଏହା ହିଁ ଚନ୍ଦ୍ରରେ ଜୀବସତ୍ତାର ସ୍ଥାପନ କରିବ ।

ବିକ୍ରମ ଲ୍ୟାଣ୍ଡରରେ ଲାଗିଥିବା ଖାସ୍ ଥର୍ମୋମିଟରର ତଥ୍ୟ ଅନୁଯାୟୀ ଚନ୍ଦ୍ରରେ ତାପମାତ୍ରାରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଚନ୍ଦ୍ରପୃଷ୍ଠରେ ଉପରେ ଓ ଏହାର ୧୦ ସେଣ୍ଟିମିଟର ତଳକୁ ତାପମାତ୍ରା ମଧ୍ୟରେ ବହୁ ପାର୍ଥକ୍ୟ ରହିଛି । ତେଣୁ ଦକ୍ଷିଣ ମେରୁର ଯେଉଁ ସ୍ଥାନରେ ତାପମାତ୍ରାରେ ଭୟାନକ ପରିବର୍ତ୍ତନ ଘଟୁଛି ସେଠାରେ ମାନବ ବସତି ତିଆରି କରାଯାଇ ପାରିବ ନାହିଁ କିମ୍ବା ଯଦି ମାନବ ବସତି ନିର୍ମାଣ କରାଯିବ ତେବେ କ’ଣ ଉପାୟ ବାହାର କରାଯିବ ତାର ବିଶ୍ଳେଷଣ କରାଯିବ ।

ଏହା ବ୍ୟତିତ ଚନ୍ଦ୍ରପୃଷ୍ଠରେ ଏହି ସମସ୍ତ ରସାୟନର ସନ୍ଧାନ ବି ମିଳିଛି । ଚନ୍ଦ୍ର ପୃଷ୍ଠରେ ସଲଫରର ସନ୍ଧାନ ମିଳିଛି ଯାହା ସହାୟତାରେ ଏସିଡ୍, ଫର୍ଟିଲାଇଜର, କାର୍ ବ୍ୟାଟେରୀ, ଖଣିଜ ଖନନ, ତେଲ ରିଫାଇନିଂ, ପାଣିକୁ ପରିଷ୍କାର କରିବା ଆଦି କାର୍ଯ୍ୟ କରାଯାଇପାରିବ । କେବଳ ମାନବ ଯନ୍ତ୍ର ନେଇ ଯିବା ପରେ ଏହି କାର୍ଯ୍ୟ ସେଠାରେ ସଂପନ୍ନ ହୋଇପାରିବ ।

ଏହା ସହିତ ଚନ୍ଦ୍ରପୃଷ୍ଠରେ ବହୁ ମାତ୍ରାରେ ଆଲୁମିନିୟମ ମଧ୍ୟ ମିଳିଛି । ଏହା ସାହାଯ୍ୟରେ ମାନବର ବ୍ୟବହାର ଉପଯୋଗୀ ଗାଡି, ଖାଇବା ପାତ୍ର, କବାଟ, ଛତା ଆଦି ତିଆରି ହୋଇପାରିବ । ମାନବ ବସତି ନିର୍ମାଣରେ ଏହାର ବିଶେଷ ଉପଯୋଗ କରାଯାଇ ପାରିବ । ଏହା ବ୍ୟତିତ ଚନ୍ଦ୍ରପୃଷ୍ଠରୁ କ୍ୟାଲସିୟମ, ଲୁହା, କ୍ରୋମିୟମ, ଟାଇଟାନିୟମ, ମାଙ୍ଗାନିଜ, ସିଲିକନ ଆଦିର ସନ୍ଧାନ ମିଳିସାରିଛି । ମୋଟ ଉପରେ କହିଲେ ଚନ୍ଦ୍ରପୃଷ୍ଠରେ ଯାହା ବି ଜିନିଷର ସନ୍ଧାନ ମିଳିସାରିଲାଣି ତାହା ଏଠାରେ ମାନବ ବସତି ସ୍ଥାପନ ଲାଗି ଯଥେଷ୍ଟ ବୋଲି କୁହାଯାଇପାରେ ।

 

Get real time updates directly on you device, subscribe now.