ନୂଆଦିଲ୍ଲୀ: କୌଣସି ବି ପିଲାଙ୍କୁ ନିଜ ସରକାରୀ କାଗଜପତ୍ରରେ ନିଜ ପିତାଙ୍କ ନାମ ନଲେଖିବାର ପୂରା ଅଧିକାର ରହିଛି। ସେ କେବଳ ନିଜ ମାଆଙ୍କ ନାମ ଲେଖି ପାରିବ। ଏକ ମାମଲାର ଆଦେଶ ଶୁଣାଇବା ସମୟରେ ଏମିତି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି କେରଳ ହାଇକୋର୍ଟ। କୋର୍ଟ ଏହି ଆଦେଶ ଅବିବାହିତ ମାଆ ଏବଂ ଦୁଷ୍କର୍ମ ପୀଡିତାଙ୍କ ପିଲାଙ୍କ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଦେଇଛନ୍ତି। ଯାଚିକା ଉପରେ କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆବେଦନକାରୀଙ୍କ ଅଭିବାବକ ରୂପେ କେବଳ ମାଆଙ୍କ ନାମ ଥିବା ସାର୍ଟିଫିକେଟ୍ ଜାରି କରାଯାଉ।
ଜଣେ ଅବିବାହିତ ମହିଳାଙ୍କ ଦ୍ଵାରା ଦାୟର ଯାଚିକାର ଶୁଣାଣି ସମୟରେ ଏହି ରାୟ ଦେଇଛନ୍ତି କେଳର ଉଚ୍ଚ ନ୍ୟାୟାଳୟ। ଅଦାଲତ କୌଣସି ବି ଅବିବାହିତ ମହିଳାଙ୍କ ପିଲାଙ୍କୁ ନିଜର ସମସ୍ତ ପରିଚୟ ପତ୍ର ଏବଂ ଦସ୍ତାବିଜରେ କେବଳ ମାଆଙ୍କ ନାମ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ଅଦାଲତ ଏହା ମଧ୍ୟ କହିଛନ୍ତି, ଅବିବାହିତ ମାଆଙ୍କ ପିଲା ମଧ୍ୟ ଦେଶର ନାଗରିକ। କେହି ମଧ୍ୟ ତାର ମୌଳିକ ଅଧିକାରର ଉଲ୍ଲଂଘନ କରି ପାରିବ ନାହିଁ।
ନିଜ ଟିପ୍ପଣୀ ସମୟରେ ହାଇକୋର୍ଟ କହିଛନ୍ତି, ଏହି ଅଧିକାରର ଗ୍ୟାରେଣ୍ଟି ଆମର ସମ୍ବିଧାନ ଦେଇଛି। ପିଲାଟି କେବଳ ଅବିବାହିତ ମାଆଙ୍କ ସନ୍ତାନ ନୁହେଁ ବରଂ ମହାନ ଦେଶ ଭାରତର ମଧ୍ୟ ସନ୍ତାନ। ତାର ବ୍ୟକ୍ତିଗତ, ଗରିମା ଏବଂ ସ୍ଵତନ୍ତ୍ରତାର ଅଧିକାରକୁ କୌଣସି ପ୍ରଶାସନ କମ କରି ପାରିବେ ନାହିଁ। ଯଦି ଏମିତି ହୁଏ ତେବେ କୋର୍ଟ ତାଙ୍କ ଅଧିକାରର ରକ୍ଷା କରିବେ।
ଏମିତି ସମାଜ ଚାହୁଁ ଯେଉଁଠି କେହି କର୍ଣ୍ଣ ନହୁଅନ୍ତୁ
କେବଳ ଏତିକି ନୁହେଁ ଶୁଣାଣି ସମୟରେ ବିଚାରପତି କୁନହିକୃଷ୍ଣନ ମହାଭାରତର କର୍ଣ୍ଣଙ୍କ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ଆମେ ଏମିତି ଏକ ସମାଜ ଚାହୁଁଛୁ ଯେଉଁଠି କର୍ଣ୍ଣ ନରୁହନ୍ତୁ, ଯିଏ ନିଜର ପରିଚୟକୁ ନେଇ ଜୀବନକୁ ଧିକାର କରି ଚାଲିଥିଲେ। ନିଜ ମାତା-ପିତାଙ୍କ ପରିଚୟ ଜାଣିନଥିବାରୁ କର୍ଣ୍ଣଙ୍କୁ ସର୍ବଦା ଅପମାନ ସହ୍ୟ କରିବାକୁ ପଡିଥିଲା। ରାଜ୍ୟକୁ ପିଲାର ପରିଚୟ ଏବଂ ବ୍ୟକ୍ତିଗତର ଖୁଲାସା ବିନା ଅନ୍ୟ ନାଗରିକଙ୍କ ପରି ତାର ରକ୍ଷା କରିବା ଉଚିତ୍।
ଏଥିସହ ଅଦାଲତ ସାଧାରଣ ଶିକ୍ଷା ବିଭାଗ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ), ଆୟକର ବିଭାଗ, ପାସପୋର୍ଟ ଅଧିକାରୀ, ଭାରତ ନିର୍ବାଚନ ଆୟୋଗ ଏବଂ ରାଜ୍ୟ ନିର୍ବାଚନ ଆୟୋଗକୁ ଆବେଦନକାରୀଙ୍କ ପିତାଙ୍କ ନାମ ସରକାରୀ ରେକର୍ଡ ଏବଂ ଡାଟାବେସରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।