fbpx

ଟି-୨୦ କ୍ରିକେଟରେ ଇତିହାସ ରଚିଲେ କ୍ରିସ ଗେଲ୍, ଏହି କାରନାମା କରିବାରେ ଦୁନିଆର ପ୍ରଥମ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଦଳ ସଂପ୍ରତି ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳୁଛି। ପ୍ରଥମ ଦୁଇଟି ମ୍ୟାଚରେ ହାରିଛି କଙ୍ଗାରୁ ଦଳ। ତୃତୀୟ ମୁକାବିଲା ଜୁଲାଇ ୧୨ ଅର୍ଥାତ ଗତକାଲି ଖେଳା ଯାଇଛି। ତୃତୀୟ ମୁକାବିଲାରେ ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ ଗେଲଙ୍କ ଧୂଆଁଧାର ୬୭ ଇନିଂସ ବଳରେ ବଳରେ ଓ୍ଵେଷ୍ଟଇଣ୍ଡିଜ ୬ ଓ୍ଵିକେଟରେ ଅଷ୍ଟ୍ରେଲିଆକୁ ହରାଇ ସିରିଜରେ ୩-୦ରେ ଅଗ୍ରଣୀ ରହିଛି। ଏହି ମ୍ୟାଚରେ ୟୁନିଭର୍ସ ବସ୍ କ୍ରିସ ଗେଲ୍ ବଡ ରେକର୍ଡ କରିଛନ୍ତି। ନିଜର ମ୍ୟାଚ୍ ବିଜୟୀ ଇନିଂସ ଜରିଆରେ ଗେଲ୍ ଟି-୨୦ କ୍ରିକେଟରେ ଆଉ ଏକ କୀର୍ତ୍ତିମାନ ରଚିଛନ୍ତି। ସେ ଟି-୨୦ କ୍ରିକେଟରେ ଦୁନିଆର ପ୍ରଥମ ବ୍ୟାଟସମ୍ୟାନ ଭାବେ ୧୪ ହଜାର ରନ ପୂରଣ କରିଛନ୍ତି। ଆସନ୍ତୁ ଜାଣିବା ଟି-୨୦ରେ ଏ ପର୍ଯ୍ୟନ୍ତ କେଉଁ ବ୍ୟାଟସମ୍ୟାନ ସବୁଠୁ ଅଧିକ ରନ କରିଛନ୍ତି।

କ୍ରିସ ଗେଲ

ଟି-୨୦ କ୍ରିକେଟରେ ସବୁଠୁ ଅଧିକ ରନ ରେକର୍ଡ କ୍ରିସ ଗେଲଙ୍କ ନାମରେ ରହିଛି। ସେ ଏ ପର‌୍ୟ୍ୟନ୍ତ ଏହି ଫର୍ମାଟରେ ୧୪,୦୩୮ ରନ କରି ସାରିଛନ୍ତି। ଗେଲ୍ ୨୦୦୫ରେ ଟି-୨୦ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ସେ ଟି-୨୦ କ୍ରିକେଟରେ ୪୩୧ ମ୍ୟାଚ୍ ଖେଳି ସାରିଛନ୍ତି। ଏଥିରେ ୨୨ ଶତକ ଓ ୮୬ ଅର୍ଦ୍ଧଶତକ ସାମିଲ। ଗେଲ୍ ସାରା ଦୁନିଆରେ ଆୟୋଜନ ହେଉଥିବା ଟି-୨୦ ଖେଳିଥାନ୍ତି। ଟି-୨୦ କ୍ରିକେଟରେ ସବୁଠୁ ଅଧିକ ରନ, ସର୍ବାଧିକ ଶତକ, ସର୍ବାଧିକ ଅର୍ଦ୍ଧଶତକ, ସର୍ବାଧିକ ବ୍ୟକ୍ତିଗତ ସ୍କୋର ଓ ସବୁଠୁ ଅଧିକ ଛକା ମାରିବାର ରେକର୍ଡ କ୍ରିସ୍ ଗେଲଙ୍କ ନାମରେ ରହିଛି।

କିରଣ ପୋଲାର୍ଡ

ଓ୍ଵେଷ୍ଟଇଣ୍ଡିଜର ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ କିରଣ ପୋଲାର୍ଡ ଟି-୨୦ କ୍ରିକେଟରେ ସବୁଠୁ ଅଧିକ ରନ କରିବା ତାଲିକାରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଏହି ଫର୍ମାଟରେ ଏ ପର୍ଯ୍ୟନ୍ତ ୧୦୮୩୬ ରନ କରି ସାରିଛନ୍ତି। ନିଜ ଟି-୨୦ କ୍ୟାରିୟରରେ ପୋଲାର୍ଡ ଏକ ଶତକ ଓ ୫୪ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଶୋଏବ ମଲିକ

ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକ ଟି-୨୦ କ୍ରିକେଟରେ ତୃତୀୟ ସବୁଠୁ ସଫଳ ବ୍ୟାଟସମ୍ୟାନ। ସେ ଏହି ଫର୍ମାଟରେ ଏ ପର‌୍ୟ୍ୟନ୍ତ ୧୦୭୪୧ ରନ କରିଛନ୍ତି। ଟି-୨୦ କ୍ରିକେଟରେ ତାଙ୍କର ସର୍ବୋଚ୍ଚ ସ୍କୋର ୯୫ ରନ ଅପରାଜିତ ରହିଛି। ଏଥିରେ ୬୬ ଅର୍ଦ୍ଧଶତକ ସାମିଲ।

ଡେଭିଡ୍ ଓ୍ଵାର୍ଣ୍ଣର

ଅଷ୍ଟ୍ରେଲିଆର ଓପନିଂ ବ୍ୟାଟସମ୍ୟାନ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ବ୍ୟାଟ୍ ଟି-୨୦ ଫର୍ମାଟରେ ଖୁବ୍ ଗର୍ଜିଥାଏ। ସେ ଟି-୨୦ ଫର୍ମାଟରେ ସବୁଠୁ ଅଧିକ ରନ କରିବା ବ୍ୟାଟସମ୍ୟାନଙ୍କ ସୂଚୀରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଓ୍ଵାର୍ଣ୍ଣର ଏ ପର୍ଯ୍ୟନ୍ତ ୧୦୦୧୭ ରନ କରିଛନ୍ତି। ଏଥିରେ ୮ ଶତକ ଓ ୮୨ ଅର୍ଦ୍ଧଶତକ ସାମିଲ।

ବିରାଟ କୋହଲି

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଦେଶ ପକ୍ଷରୁ ଟି-୨୦ କ୍ରିକେଟରେ ସବୁଠୁ ଅଧିକ ରନ କରିଛନ୍ତି। ବିରାଟ ଟି-୨୦ ଫର୍ମାଟରେ ଏ ପର‌୍ୟ୍ୟନ୍ତ ୯୯୨୨ ରନ କରିଛନ୍ତି। ଏଥିରେ ୫ ଶତକ ଓ ୫୨ ଅର୍ଦ୍ଧଶତକ ସାମିଲ।

 

Get real time updates directly on you device, subscribe now.