fbpx

ମୁଖ୍ୟମନ୍ତ୍ରୀ ସାଜିବେ ବସ୍ କଣ୍ଡକ୍ଟର! ମହିଳା ଯାତ୍ରୀଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ଯାତ୍ରା

ନୂଆଦିଲ୍ଲୀ: ନିକଟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଧରମୈୟା ଶପଥ ଗ୍ରହଣ କରିଥିଲେ । ସରକାର ଗଠନ କରିବା ପରେ କଂଗ୍ରେସ ଜନତାଙ୍କୁ ନେଇଥିବା ପୂର୍ବ ପ୍ରତିଶ୍ରୁତିକୁ ପୂରଣ କରିବା ନିମନ୍ତେ ପ୍ରୟାସ ଆରମ୍ଭ କରିଦେଇଛି । ଏହି ଅବସରରେ ଆସନ୍ତା ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଶୁଭାରମ୍ଭ କରିବେ ।

ଏକ ସୂତ୍ର ମୁତାବକ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିଏମଟିସି ବସରେ ଯାତ୍ରା କରିବେ ଓ ମହିଳା ଯାତ୍ରୀଙ୍କୁ ମାଗଣା ଟିକେଟ ବଣ୍ଟନ କରିବେ । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ‘ଶକ୍ତି’ ଯୋଜନାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏଥିରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ବିଧାୟକମାନେ ନିଜ ନିଜ ଜିଲ୍ଲା ଓ ନିର୍ବାଚନ ମଣ୍ଡଳରେ ଏକସଙ୍ଗେ ସବୁଜ ପତାକା ଦେଖାଇ ସ୍ୱାଗତ କରିବେ । ସବୁଠାରୁ ବଡ଼ କଥା ହେଉଛି ଆସନ୍ତକାଲି ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବା ଅବସରରେ ବସ୍ କଣ୍ଡକ୍ଟର ସାଜିବେ ।

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଜନତାଙ୍କୁ ୫ଟି ପ୍ରତିଶ୍ରୁତି ଦେଇଥିଲା । ସେହି ୫ଟି ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ ହେଉଛି ‘ଶକ୍ତି’ ଯୋଜନାରେ ମହିଳାଙ୍କୁ ମାଗଣା ବସ୍ ଯାତ୍ରା ସୁବିଧା ପ୍ରଦାନ କରିବା । ଏହି ଯୋଜନାର ଲାଭ ସମସ୍ତ ଜାତି, ଧର୍ମ, ବର୍ଗର ଲୋକଙ୍କ ନିକଟରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଯୋଜନାର ଶୁଭାରମ୍ଭକୁ ସଫଳ କରିବା ପାଇଁ ସବୁ ଜିଲ୍ଲା ମନ୍ତ୍ରୀଙ୍କୁ ସହଯୋଗ କରିବାକୁ କୁହାଯାଇଛି । ମହଙ୍ଗାକୁ ନେଇ ଚିନ୍ତିତ ରହିଥିବା ମହିଳାମାନେ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ବେଶ୍ ଉପକୃତ ହୋଇ ପାରିବେ ।

Get real time updates directly on you device, subscribe now.