fbpx

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢି ପାରନ୍ତି ରାହୁଲ ଗାନ୍ଧୀ, ମନାଇବା ପାଇଁ ସବୁ ଶକ୍ତି ଖଟାଇବେ ଦଳୀୟ ନେତା

ବେଙ୍ଗାଲୁରୁ: ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ନିଜର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତ। ହେଲେ ଏହା ପୂର୍ବରୁ ଦଳକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି। କେଉଁ ନେତାଙ୍କୁ ଦଳ ଅଧ୍ୟକ୍ଷ କରିବ କଂଗ୍ରେସ ପାଇଁ ଏହା ସବୁଠୁ ବଡ ପ୍ରଶ୍ନ। ନିର୍ବାଚନ ଠିକ୍ ପୂର୍ବରୁ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପାର୍ଟିରୁ ଇସ୍ତଫା ଦେଇ ସାରିଛନ୍ତି। ଅନ୍ୟପଟେ ଶଶି ଥରୁର, ମନୀଷ ତିଓ୍ଵାରୀ ଏବଂ କୀର୍ତ୍ତି ଚିଦାମ୍ବରମ ମତଦାତା ସୂଚୀ ଜାରି କରାଯାଉ ବୋଲି ଦାବି କରୁଛନ୍ତି। କେବଳ ସେତିକି ନୁହେଁ ଦଳର ନେତୃତ୍ଵ କାହା ହାତକୁ ଯିବ ସେ ନେଇ ସନ୍ଦୀହାନ କଂଗ୍ରେସ। ଦଳ ସଂପ୍ରତି ଅନିଶ୍ଚିତତା ପରିସ୍ଥିତି ଦେଇ ଗତି କରୁଛି। ଅପରପକ୍ଷେ ପାର୍ଟିର ଅନେକ ନେତାଙ୍କ କହିବା କଥା ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦର ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହୋଇ ପାରନ୍ତି।

ରାହୁଲ ଗାନ୍ଧୀଙ୍କ ଶନିବାର ସନ୍ଧ୍ୟାରେ ବିଦେଶ ଯାତ୍ରାରୁ ଫେରିବାର ସମ୍ଭାବନା ରହିଛି। ଏହା ପରେ କଂଗ୍ରେସ ନେତାଙ୍କ ଦ୍ଵାରା ରାହୁଲଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ଲଢିବା ଏବଂ ଦଳର ମଙ୍ଗ ସମ୍ଭାଳିବା ଲାଗି ମନାଇବାକୁ ଉଦ୍ୟମ କରି ପାରନ୍ତି। ରାହୁଲ ଗାନ୍ଧୀ ୨୦୧୯ ମେ ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟରେ ନିଜକୁ ଦାୟୀ  କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପରଠୁ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ଦାୟିତ୍ଵ ସମ୍ଭାଳୁଛନ୍ତି।

ରାହୁଲ ଗାନ୍ଧୀଙ୍କ ନିକଟତମ ସୂତ୍ରରୁ ପ୍ରକାଶ ଯେ, ଏହା ଶତପ୍ରତିଶତ ଦୃଢତାର ସହ କୁହାଯାଇ ପାରିବ ନାହିଁ ଯେ, ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ନିର୍ବାଚନ ଲଢିବେ ନାହିଁ। ତାଙ୍କୁ ମନାଇବା ପାଇଁ ଉଦ୍ୟମ ଜାରି ରହିଛି। କାରଣ ପାର୍ଟି ପାଇଁ ଏହା ହିଁ ଏକ ମାତ୍ର ସର୍ବୋତ୍ତମ ସମାଧାନର ରାସ୍ତା। ଏହା ଉପରେ ସବୁ କିଛି ନିର୍ଭର କରିବ ଯେ, ରବିବାର ଦରବୃଦ୍ଧି ବିରୋଧରେ ଦିଲ୍ଲୀରେ ହେବାକୁ ଥିବା ରାଲି ଏବଂ ପରେ ଭାରତ ଯୋଡୋ ଯାତ୍ରା କେତେ ସଫଳ ହେଉଛି।
କଂଗ୍ରେସର ବରିଷ୍ଠ ନେତା କହିଛନ୍ତି, ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ୧୫୦ ଦିନର ଯାତ୍ରା ବାହାର କରିବେ। ଯଦି ସେ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରନ୍ତି ତେବେ ଏଥିପାଇଁ ଗୋଟିଏ ଦିନର ବିରତି ନେଇ ପାରନ୍ତି। ଆସନ୍ତା ରବିବାର ରାମଲୀଲା ମଇଦାନରେ ଆୟୋଜିତ ରାଲିକୁ ରାହୁଲ ସମ୍ବୋଧିତ କରିବେ ବୋଲି ନେତା କହିଛନ୍ତି।

ଉଲ୍ଲେଖନୀୟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଂପ୍ରତି କଂଗ୍ରେସରେ ଗାନ୍ଧୀ ପରିବାରରୁ ବାହାର ବିକଳ୍ପ ଚେହେରା ଭାବେ ସର୍ବାଗ୍ରେ ଅଛନ୍ତି। ତେବେ ମଲ୍ଲିକାର୍ଜୁନ ଖଗଡେ ଏବଂ ସଲମାନ ଖୁର୍ସିଦଙ୍କ ପରି ବରିଷ୍ଠ ନେତାଙ୍କ କହିବା କଥା ରାହୁଲ ଗାନ୍ଧୀଙ୍କୁ ମନାଇବା ପାଇଁ ଶେଷ ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିବ।

Get real time updates directly on you device, subscribe now.