fbpx

ରାଜ୍ୟରେ Silent Killer ସାଜିଛି କରୋନା, କଟକଣାକୁ ଅଣଦେଖା ପୁଣି ଏକ ଭୟଙ୍କର ତାଣ୍ଡବକୁ ଡାକି ଆଣିବ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହାସ ପାଇଥିଲେ ହେଁ ଆଶଙ୍କା ହଟିନାହିଁ । ଗତ ୬ ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ଉପରେ ରହିବା ପରେ ଆଜି ୮୬୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମଣ ହ୍ରାସ ପାଉଥିଲେ ହେଁ ମୃତ୍ୟୁସଂଖ୍ୟା ଗତ କିଛିଦିନ ଧରି ୬୦ ଉପରେ ରହୁଥିବା ଦେଖିବାକୁ ମିଳୁଛି । ଆଜି ରାଜ୍ୟରୁ ୬୬ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ଦେଶକୁ ତୃତୀୟ ଆସିସାରିଥିବା କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ଏ ପର୍ଯ୍ୟନ୍ତ ସରିନାହିଁ ବୋଲି ଆଉ କିଛି ମତ ଦେଉଛନ୍ତି । ତେବେ ଏହାରି ମଧ୍ୟରେ ରାଜ୍ୟର କରୋନା କଟକଣାକୁ ନେଇ ପ୍ରଶ୍ନ ଉଠିଛି ।

କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇବା ପରେ ସରକାର କଟକଣା କୋହଳ କରିଦେଇଛନ୍ତି । ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରର ଛକ, ବଜାର, ସପିଂ ମଲ ଆଦି କୌଣସି ସ୍ଥାନରେ ବି ପୋଲିସଙ୍କୁ ଦେଖିବାକୁ ପ୍ରାୟ ମିଳୁନି । । ଯେତେବେଳେ ସଂକ୍ରମଣ ଅଧିକ ଥିଲା ସେତେବେଳେ ସାଧାରଣ ଲୋକେ ପୋଲିସକୁ ଏକପ୍ରକାର ଭୟ କରୁଥିଲେ । ତେବେ ଏଠାରେ କହିବାର କଥା ହେଲା, ପ୍ରଥମ ଲହର ଯେତେବେଳେ ହ୍ରାସ ପାଇଥିଲା, ସେତେବେଳେ ଜନସାଧାରଣ ଆଉ କଟକଣାକୁ ଖାତିର କରିନଥିଲେ । ସମସ୍ତଙ୍କର ହୃଦବୋଧ ହୋଇଥିଲା ଯେ, କରୋନା ସବୁଦିନ ପାଇଁ ଅଲବିଦା କରିଦେଲା । ସରକାର ମଧ୍ୟ ଚୁପ୍ ହୋଇ ବସିଯାଇଥିଲେ । ତା’ପରେ ଦ୍ୱିତୀୟ ଲହରରେ କେତେ ମୁଣ୍ଡ ଗଡ଼ିଲା, କେତେଲୋକ ବେଘର ହେଲେ, କେତେ ଶିଶୁ ଅନାଥ ହେଲେ, କେତେ ଲୋକ ସର୍ବସ୍ୱ ହରାଇଲେ ତାହାର ହିସାବ ଆପଣମାନେ ଭଲଭାବରେ ଜାଣିଥିବେ । କରୋନା ଅଛି ତ କଟକଣା ଅଛି, କରୋନା ନାହିଁ ତ କଟକଣା ନାହିଁ, ଏହି ଫର୍ମୂଲା ସବୁବେଳେ ଆପ୍ଲାଏ ହେଉଛି । କିନ୍ତୁ ଏହା ବୁଝିବାକୁ ହେବ ଯେ, ଏହା ରାଜ୍ୟବାସୀଙ୍କ ଯେଉଁ କ୍ଷତି କରିବ, ତାହା ଅପୂରଣୀୟ ।

ତେବେ ବର୍ତ୍ତମାନ କରୋନା ସଂକ୍ରମଣ ଯେଉଁ ସ୍ଥିତିରେ ରହିଛି, ସେଥିରେ ଲୋକମାନେ ବେଶି କ୍ଷତିଗ୍ରସ୍ତ ହେଉନାହାନ୍ତି । ମାତ୍ର କରୋନା ସାଇଲେଣ୍ଟ କିଲର ଭଳି ଯେ ଆକ୍ରମଣ ନକରିବ, ତାହା କିଏ କହିବ । ପ୍ରଥମ ଲହରର ସମୟରେ ଯେଉଁ ଅବସ୍ଥା ଥିଲା, ଏବେ ମଧ୍ୟ ଅନୁରୂପ ପରିସ୍ଥିତି ରହିଛି । ନା ଜନସାଧାରଣ ସଚେତନ ହେଉଛନ୍ତି, ନା ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ନେଡ଼ି ଗୁଡ଼ କହୁଣୀକୁ ବୋହିଗଲା ପରେ ଆଉ କାହା ପାଖରେ କିଛି ନଥିବ । ଗତକାଲି ରାଜ୍ୟରେ ୧୩୮ ଜଣ ଶିଶୁ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ପୂର୍ବରୁ ସରକାର ଏହି ତଥ୍ୟ ଦେଉନଥିବା ବେଳେ ଏବେ ଏହି ତଥ୍ୟକୁ ନେଇ ସାଧାରଣରେ ଆଶଙ୍କା ସୃଷ୍ଟି ହୋଇଛି । ଗୋଟିଏ ପଟେ ହଜାରେ ତଳକୁ ଦୈନିକ ସଂକ୍ରମଣ ଖସିଥିବା ବେଳେ ଅନ୍ୟପଟେ ଶହେ ଶିଶୁ ଆକ୍ରାନ୍ତ ହେଉଛନ୍ତି । ହୁଏତ ତୃତୀୟ ଲହରରେ ଶିଶୁମାନେ ବେଶିମାତ୍ରାରେ ସଂକ୍ରମିତ ହେବେ, ଏହା ସତ ପ୍ରମାଣିତ ହୋଇପାରେ । ତେଣୁ କରୋନା କଣକଣା ନେଇ ଜନସାଧାରଣଙ୍କୁ ଅଧିକ ମାତ୍ରାରେ ସଚେତନ କରିବା ସହ ଉପଯୁକ୍ତ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯିବା ଦରକାର ।

Get real time updates directly on you device, subscribe now.