fbpx

ଆଜିଠୁ ୯ ଦିନ ଧରି ଚାଲିବ କଟକ ଐତିହାସିକ ବାଲିଯାତ୍ରା ; ଉଦଘାଟନ କରିଲେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ

କଟକ: କଟକରେ ଐତିହାସିକ ବାଲିଯାତ୍ରା ଉଦଘାଟିତ ହୋଇଛି । ଏହାକୁ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ବିଧିବଦ୍ଧ ଭାବରେ ଉଦଘାଟନ କରିଛନ୍ତି । ତେବେ ଏହି ଉଦଘାଟନୀ ଉତ୍ସବରେ କଟକ ମେୟର ସୁବାସ ସିଂଙ୍କ ସମେତ ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ରାଜଶ୍ରୀ ମଲ୍ଲିକ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଦି ଉପସ୍ଥିତ ଥିଲେ । ତେବେ ବିଗତ ୨ବର୍ଷ ପରେ ଚଳିତ ଥର ପୁଣି ଥରେ ଆରମ୍ଭ ହୋଇଛି କଟକର ଐତିହାସିକ ମେଳା ବାଲିଯାତ୍ରା । ଯାହାକୁ ନେଇ କଟକବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ମହାମାରୀ କରୋନା ପାଇଁ ରାଜ୍ୟରେ ସମସ୍ତ ପ୍ରକାର ପର୍ବପର୍ବାଣୀ ବନ୍ଦ ରହିଥିଲା । ଯାହାକି ଚଳିତ ଥର କିଛି ମାତ୍ରାରେ ଅନୁଷ୍ଠିତ ହେଉଛି । ତେବେ କଟକରେ ଚଳିତ ଥର ସରକାରଙ୍କ ନିୟମ ଅନୁଯାୟୀ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ବର୍ତ୍ତମାନ ବାଲିଯାତ୍ରା ଆରମ୍ଭ ହୋଇଛି । ଯାହାକୁ ଆଜି ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଉଦଘାଟନ କରି ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି ।

ତେବେ ମହାନଦୀ ପଠାରେ ଆଜିଠାରୁ ୯ ଦିନ ଧରି ଏହି ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ମେଳା ଚାଲିବ । ଯେଉଁଥିରେ ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀ ସାମିଲ ହେବେ । ଦୋଳି ମୀନା ବଜାର ସାଙ୍ଗକୁ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଯାତ୍ରାର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି । ତେବେ ଚଳିତ ବର୍ଷ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଲେଜର ଲାଇଟ ସୋ, କଟକ ଇନ କଟକ ପାଭେଲିୟନ ପରିକଳ୍ପନା କରାଯାଇଛି ।

ଅନ୍ୟପକ୍ଷରେ ଦୁଇ ବର୍ଷ ପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବ। ତେଣୁ ସୁରକ୍ଷା ବ୍ୟବସ୍ତାକୁ ଦୃଷ୍ଟିରେ ରଖି ସାଧାରଣ ଲୋକ କିପରି ଶାନ୍ତି ଶୃଙ୍ଖଳାରେ ଯାତ୍ରା ବୁଲିବେ ତାହା ଉପରେ ପୋଲିସ କଡ଼ା ନଜର ରଖିଛି । ଏନେଇ କମିସନରେଟ୍‌ ପୋଲିସ ପକ୍ଷରୁ ୫୦ ପ୍ଲାଟୁନ୍ ଫୋର୍ସ ବ୍ୟବସ୍ଥା କରାଯାଇଛି । ଏଥିସହିତ ସିସିଟିଭି କ୍ୟାମେରା ଏବଂ ତଳ ଓ ଉପର ବାଲି ଯାତ୍ରା ପଡ଼ିଆରେ ୧୧ଟି ପୋଲିସ ସହାୟତା କେନ୍ଦ୍ର ରହିବ ବୋଲି ଜଣା ପଡିଛି ।

Get real time updates directly on you device, subscribe now.