ଦିଲ୍ଲୀ ବଜେଟ୍: ପ୍ରଥମ ଥର ପାଇଁ ୧ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କଲେ ରେଖା ଗୁପ୍ତା, ଜାଣନ୍ତୁ କେଉଁ ବିଭାଗକୁ କେତେ ?

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ଥର ପାଇଁ ୧ ଲକ୍ଷ କୋଟି ଟଙ୍କାର ରାଜ୍ୟ ବଜେଟ୍ ଉପସ୍ଥାପିତ ହୋଇଛି । ୨୦୨୫-୨୬ ଆର୍ôଥକ ବର୍ଷର ବଜେଟ୍ ପୂର୍ବ ବଜେଟ୍ ତୁଳନାରେ ୩୧.୫% ଅଧିକ ।

୨୭ ବର୍ଷ ପରେ ଦିଲ୍ଲୀର ବଜେଟ୍ ଉପସ୍ଥାପନ କଲା ବିଜେପି ସରକାର :
୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଠନ ହୋଇଛି । ୨୭ ବର୍ଷ ପରେ ଦଳକୁ ଦିଲ୍ଲୀରେ ବଜେଟ୍ ଉପସ୍ଥାପନ କରିବାର ସୁଯୋଗ ମିଳିଛି । ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନ ୨୪ ମାର୍ଚ୍ଚରୁ ୨୮ ମାର୍ଚ୍ଚ, ୨୦୨୫ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ଅଛି । ଆବଶ୍ୟକ ହେଲେ ଏହାକୁ ବିସ୍ତାର କରାଯିବ ।

ଦିଲ୍ଲୀ ବଜେଟର ପ୍ରମୁଖ ଘୋଷଣା:

-ବଜେଟରେ ପୁଞ୍ଜି ଖର୍ଚ୍ଚକୁ ଦ୍ୱିଗୁଣିତ କରି ୨୮,୦୦୦ କୋଟି ଟଙ୍କା କରାଯାଇଛି ।
-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ୨,୧୪୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
-ଯୋଗ୍ୟ ମହିଳାଙ୍କୁ ପ୍ରତି ମାସରେ ୨,୫୦୦ ଟଙ୍କା ପ୍ରଦାନ କରିବା ପାଇଁ ୫,୧୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
-ଦିଲ୍ଲୀ-ଏନସିଆରରେ ଉତ୍ତମ ସଂଯୋଗ ପାଇଁ ୧,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।
-ଦିଲ୍ଲୀର ବସ୍ତିରେ ୧୦୦ଟି ଅଟଳ କ୍ୟାଣ୍ଟିନ୍ ଖୋଲାଯିବ । ଏଠାରେ ଗରିବ ଏବଂ ଅସହାୟ ଲୋକମାନେ ଶସ୍ତା ଏବଂ ପୁଷ୍ଟିକର ଖାଦ୍ୟ ପାଇବେ ।
-ଦିଲ୍ଲୀରେ ବସ୍ତି ବିକାଶ ପାଇଁ ୬୯୬ କୋଟି ଟଙ୍କା ଆବଣ୍ଟିତ ।
-ମହିଳାଙ୍କ ସୁରକ୍ଷା ପାଇଁ ୫୦ ହଜାର ସିସି କ୍ୟାମେରା ଲଗାଯିବ ।
-ଜଳ ଯୋଗାଣ ଏବଂ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ୯ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ନୂତନ ପାଣି ପାଇପଲାଇନ ବିଛାଯିବ । ସ୍ୱେରେଜ ଲାଇନଗୁଡ଼ିକୁ ସମ୍ପ୍ରସାରିତ କରାଯିବ ।
-“ବ୍ୟବସାୟୀ କଲ୍ୟାଣ ବୋର୍ଡ” ଗଠନ କରାଯିବ ।
– ‘ବିଶ୍ୱ ନିବେଶ ସମ୍ମିଳନୀ’ ପ୍ରତି ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହେବ ।
-ଏସଟିପିର ମରାମତି ଏବଂ ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ ।
-ପୁରୁଣା ସ୍ୱେରେଜ ଲାଇନ ବଦଳାଇବା ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ ।