ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଛି। ଏହି ଧମକ ଗାଜିଆବାଦ ପୁଲିସ କଣ୍ଟ୍ରୋଲ ରୁମକୁ ଏକ ପିସିଆର କଲ ମାଧ୍ୟମରେ ଦିଆଯାଇଛି। ସୂଚନା ଅନୁଯାୟୀ, ଗତ ୫ ଜୁନ ରାତ୍ର ୧୧ଟା ସମୟରେ ଗାଜିଆବାଦ ପୋଲିସକୁ ଏକ ଫୋନ କଲ ଆସିଥିଲା, ଯେଉଁଥିରେ ଜଣେ ଅଜଣା ବ୍ୟକ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜୀବନରୁ ମାରି ଦେବାର ଧମକ ଦେଇଥିଲେ।
ଘଟଣା ପରେ ଗାଜିଆବାଦ ପୋଲିସ ତୁରନ୍ତ ଦିଲ୍ଲୀ ପୋଲିସକୁ ଏହି ସୂଚନା ଦେଇଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ଗାଜିଆବାଦର ଡେପୁଟି କମିଶନର ଅଫ ପୋଲିସ (ସିଟି) ଅନୁସାରେ, ଧମକ ଦେଇଥିବା ବ୍ୟକ୍ତି କଲ କରିବା ପରେ ତାଙ୍କ ଫୋନ ସୁଇଚ ଅଫ କରି ଦେଇଥିଲେ। ଊତ୍ତର-ପଶ୍ଚିମ ଜିଲ୍ଲା ପୋଲିସକୁ ଗାଜିଆବାଦ ପୋଲିସ ରାତିରେ ଏହି ସୂଚନା ଦେଇଥିଲେ। ବର୍ତ୍ତମାନ ଦିଲ୍ଲୀ ଓ ଗାଜିଆବାଦ ପୋଲିସ ମିଳିତ ଭାବେ ଅଭିଯୁକ୍ତର ପରିଚୟ ଓ ଅବସ୍ଥାନ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ଧମକ କଲ ଗାଜିଆବାଦର କୋତୱାଲି ପୁଲିସ ଷ୍ଟେସନ ଅଞ୍ଚଳରୁ ଆସିଥିବା ଜଣାପଡ଼ିଛି। ଟେଲିକମ କମ୍ପାନୀର ସହାୟତାରେ ସିମର ମାଲିକଙ୍କ ପରିଚୟ ଚିହ୍ନଟ କରାଯାଇଛି, କିନ୍ତୁ ଫୋନ ସୁଇଚ ଅଫ ଥିବାରୁ ଅଭିଯୁକ୍ତକୁ ଖୋଜିବା ପାଇଁ ଏକ ମିଳିତ ଅଭିଯାନ ଚାଲିଛି।
ଏହି ଘଟଣା ଦିଲ୍ଲୀରେ ସୁରକ୍ଷା ଚିନ୍ତା ବଢ଼ାଇଛି, କାରଣ ଏହା ପୂର୍ବରୁ ଉଦ୍ୟୋଗ ଭବନ ଓ ନିର୍ମାଣ ଭବନ ଭଳି ଦୁଇଟି ସରକାରୀ କାର୍ଯ୍ୟାଳୟକୁ ବୋମା ମାଡ଼ି ଉଡ଼ାଇ ଦେବାର ଧମକ ମିଳିଥିଲା। ରେଖା ଗୁପ୍ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ଏବଂ ଏହି ଧମକ ତାଙ୍କ ଜନସାଧାରଣ ସହ ଯୋଗାଯୋଗ ଉପରେ ପ୍ରଭାବ ପକାଇପାରେ।
ଉଲ୍ଲେଖଯୋଗ୍ୟ, ରେଖା ଗୁପ୍ତା ୨୦୨୫ ଫେବ୍ରୁଆରୀରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ, ଯେଉଁଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କରିଥିଲା। ଏହି ଧମକ ଘଟଣାର ତଦନ୍ତ ଜାରି ରହିଛି, ଏବଂ ପୋଲିସ ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବା ପାଇଁ ପ୍ରୟାସ ଜାରି ରଖିଛି।