fbpx

୪୫ ବର୍ଷ ପରେ ପୁଣି ଦିଲ୍ଲୀରେ ଯମୁନା ନେଇଛି ଭୟଙ୍କର ରୂପ, ୪୧ ହଜାର ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର

Advertisement

ନୂଆଦିଲ୍ଲୀ: ମୌସୁମୀ ଆସିବା ପର ଠାରୁ ଦେଶର ଉତ୍ତର ଭାଗରେ ବହୁ ରାଜ୍ୟରେ ଲଗାତର ମୂଷଳଧାରାରେ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ପରି ରାଜ୍ୟରେ ପ୍ରଳୟ ରଚିଛି । ତେବେ ଏବେ ଦିଲ୍ଲୀରେ ବି ପ୍ରବଳ ଓ ଅବିରତ ବର୍ଷା କାରଣରୁ ଯମୁନାର ଜଳସ୍ତର ବିପଦ ସଂକେତ ଟପିଯାଇଛି । ଆଜି ସକାଳେ ପୁରୁଣା ଦିଲ୍ଲୀ ରେଲୱେ ବ୍ରିଜ୍ ଠାରେ ଯମୁନାର ଜଳସ୍ତର ୨୦୭ ମିଟର ପାର କରିଯାଇଛି । ତେବେ ହରିୟାଣାର ହଥିନୀକୁଣ୍ଡ ବ୍ୟାରେଜ୍ ରୁ ୩ ଲକ୍ଷ କ୍ୟୁସେକ୍ ଜଳ ଛଡା ଯିବା ପରେ ଯମୁନାର ଜଳସ୍ତର ବୃଦ୍ଧି ପାଇଛି । ତେବେ ୧୯୭୮ ପରେ ପ୍ରଥମ ଥର ପାଇଁ ଯମୁନାର ଜଳସ୍ତର ଏହି ରେକର୍ଡ ମାତ୍ର ଛୁଇଁଛି । ଦିଲ୍ଲୀରେ ବଢୁଥିବା ବିପଦକୁ ଲକ୍ଷ୍ୟ କରି ଓଖଲା ବ୍ୟାରେଜ୍ର ସବୁ ଗେଟ୍ ଖୋଲି ଦିଆଯାଇଛି ।

ପିଟିଆଇ ସୂତ୍ର ମୁତାବିକ ୧୯୭୮ରେ ଯମୁନାର ଜଳସ୍ତର ୨୦୭.୪୯ ରେକର୍ଡ କରାଯାଇଥିଲା । ଯମୁନା ନଦୀ ଏହାର ଉଚ୍ଚତମ ରେକର୍ଡରେ ପହଞ୍ଚିବ ବୋଲି ଅଧିକାରୀମାନେ ମଙ୍ଗଳବାର ଚେତାବନୀ ଦେଇଥିଲେ । ମଙ୍ଗଳବାର ଯମୁନା ୧୦ ବର୍ଷର ଉଚ୍ଚତମ ରେକର୍ଡ ସ୍ତରରେ ପହଞ୍ଚିଯାଇଛି ।

ବିପଦ ସଂକେତ ଉପରେ ଯମୁନାର ଜଳସ୍ତର ପ୍ରବାହ ଦିଲ୍ଲୀରେ ବନ୍ୟା ଆଶଙ୍କା ସୃଷ୍ଟି କରିଛି । ଯମୁନା ଏବେ ଏହାର ବିପଦ ସଂକେତର ୧.୩୬ ମିଟର ଉପରେ ପ୍ରବାହିତ ହେଉଛି । ଗତ ୨ ଦିନ ହେବ ଯମୁନାର ଜଳସ୍ତର ଲଗାତର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଲକ୍ଷ୍ୟ କରି ସୋମବାର ରାତିରେ ରେଳ ଯାତାୟତ ଲାଗି ପୁରୁଣା ରେଲୱେ ବ୍ରିଜ୍ କୁ ବନ୍ଦ କରି ଦିଆଯାଇଛି । ଏହା ସହିତ ଦିଲ୍ଲୀର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାର୍ଯ୍ୟ ଲାଗି ୪୫ ଗୋଟି ନୌକା ପ୍ରସ୍ତୁୁତ କରି ରଖାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଦିଲ୍ଲୀରେ ଏବେ ବନ୍ୟା ହେବାର ସମ୍ଭାବନା ନାହିଁ । ଅନ୍ୟପକ୍ଷରେ କୌଣସି ବି ପରିସ୍ଥିତିକୁ ସାମ୍ନା କରିବା ଲାଗି ଆମେ ପ୍ରସ୍ତୁତ ହୋଇ ରହିଛୁ ।

Get real time updates directly on you device, subscribe now.