fbpx

ବିସ୍ଫୋରଣ ସ୍ଥାନରେ ପଡ଼ିଥିବା ମାଂସ ଖଣ୍ଡର ହେବ ଡିଏନଏ ଟେଷ୍ଟ: ପୋଲିସ କମିଶନର

ଭୁବନେଶ୍ୱର,୮ ।୧୦(ଓଡିଶା ଭାସ୍କର): ଭୁବନେଶ୍ୱର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲାରେ ଘଟଣାସ୍ଥଳ ପଡ଼ିଥିବା ମାଂସ ଖଣ୍ଡ କାହାର, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଘଟଣାକୁ ନେଇ କ୍ୟାପିଟାଲ ଥାନାରେ ବିଭିନ୍ନ ଦଫାରେ ମାମଲା ହୋଇଛି । ପ୍ରାଥମିକ ତଦନ୍ତ ଅନୁସାରେ ସେଠାରେ ୪ ଜଣ କାମ କରୁଥିବା ସୂଚନା ମିଳିଛି । ୪ ଜଣଙ୍କ ମଧ୍ୟରୁ ଜଣଙ୍କର କଟକ SCB ରେ ଆଜି ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ SCBରେ ଚିକିତ୍ସାଧିନ ଅଛନ୍ତି । ତୃତୀୟ ବ୍ୟକ୍ତି ସୁରକ୍ଷିତ ଅଛନ୍ତି, ତାଙ୍କ ସହ ଆମେ କଥା ହୋଇଛୁ । ଚତୁର୍ଥ ବ୍ୟକ୍ତିଙ୍କର ସୂଚନା ମିଳୁନି, ସେ ନିରୁଦ୍ଦିଷ୍ଟ ରହିଛନ୍ତି । ତଦନ୍ତ ପାଇଁ ବିଭିନ୍ନ ଅଫିସରଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି । ସେଠାରେ କଣ କାମ ହେଉଥିଲା ଓ କାହା ତତ୍ତ୍ୱାବଧାନରେ ହେଉଥିଲା ତଦନ୍ତ ହେବ । ଘଟଣା ସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଫୋରେନସିକ ଲ୍ୟାବ ପଠାଯାଇଛି । ଆବଶ୍ୟକ ପଡ଼ିଲେ ତାହାର ଡିଏନଏ ଟେଷ୍ଟ କରାଯିବ । ଡିଏନଏ ଟେଷ୍ଟରେ ସ୍ପଷ୍ଟ ହେବ ସେ ଶରୀର ଅଂଶ କାହାର ।’

ଏହା ସହ ସେ ପୁଣି କହିଛନ୍ତି ଯେ, ‘ବିସ୍ଫୋରଣ ସ୍ଥଳରୁ ବାକି ରହିଥିବା ଏଲପିଜି ବାହାର କରିନିଆଯାଇଛି । ଡିଜେଲ ବାହାର କରାଯାଇଛି, କିଛି ସମୟରେ ପେଟ୍ରୋଲ କଢ଼ାଯିବ । ବିସ୍ଫୋରଣରେ ସୃଷ୍ଟି ହୋଇଥିବା ଗାତକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବ । କାଳେ ଗାତ ଭିତରେ କେହି ନିରୁଦ୍ଦିଷ୍ଟ ରହିଯାଇଥିବେ, ଦେଖିବୁ । ପରିସ୍ଥିତି ଏବେ ଠିକ୍ ରହିଛି, କେହି ଭୟଭୀତ ହେବାର କାରଣ ନାହିଁ ।’

Get real time updates directly on you device, subscribe now.