fbpx

ଡ୍ରଗ୍ସ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାକୁ ରଦ୍ଦ କଲେ ଓଡ଼ିଶା ହାଇକୋର୍ଟ: ସାନି ପରୀକ୍ଷା ପାଇଁ OPSCକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡ୍ରଗ୍ସ ଇନ୍ସପେକ୍ଟର ପରୀକ୍ଷା ଦେଇଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଡ୍ରଗ୍ସ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାକୁ ରଦ୍ଦ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଏଥିସହିତ ସାନି ପରୀକ୍ଷା କରାଇବା ନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଗତ ୨୦୨୨-୨୩ ପାଇଁ ଡ୍ରଗ୍ସ ଇନ୍ସପେକ୍ଟର ପଦରେ ନିଯୁକ୍ତି ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଗତବର୍ଷ ମାର୍ଚ୍ଚ ୧୯ ତାରିଖରେ ହୋଇଥିବା ନିଯୁକ୍ତି ପରୀକ୍ଷାରେ ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲ ସର୍ଭିସ (ଓଡିସିଏସ) ରୁଲ୍ ୨୦୨୦ର ଧାରା ୬କୁ ଉଲ୍ଲଂଘନ କରାଯାଇଥିଲା । ଉକ୍ତ ନିଯୁକ୍ତି ନିମନ୍ତେ ଟେଷ୍ଟ ବୁକଲେଟ ଧାର୍ଯ୍ୟ ନିୟମ ଅନୁସାରେ ହୋଇନଥିବା ଅଭିଯୋଗରେ ରୁଜୁ ହୋଇଥିବା ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କୋର୍ଟ । ନିୟମ ଅନୁସାରେ, ଲିଖିତ ପରୀକ୍ଷାରେ ପ୍ରତି ବିଷୟରେ ୨୫ ମାର୍କ ରହିବା କଥା, ମାତ୍ର ମୋଟ ୮ଟି ବିଷୟରେ ,ଭଳି ନମ୍ବର ପାଟର୍ଣ୍ଣ ରହିନଥିବା ଅଭିଯୋଗ ହୋଇଥିଲା । ତେଣୁ ହାଇକୋର୍ଟ ଏହି ନିଯୁକ୍ତି ପରୀକ୍ଷାକୁ ରଦ୍ଦ କରିବା ସହ ସଠିକ୍ ନିୟମାବଳୀ ଅନୁସରଣ କରି ସାନି ପରୀକ୍ଷା କରାଇବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନିଯୁକ୍ତି ପରୀକ୍ଷାକୁ ନେଇ ଓପିଏସସି ପକ୍ଷରୁ ଜବାବ ଦାଖଲ କରାଯାଇଥିଲେ ହେଁ ହାଇକୋର୍ଟ ତାହାକୁ ରଦ୍ଦ କରିଦେଇଛନ୍ତି । ଏହି ପ୍ରଶ୍ନପତ୍ର ନିୟମାବଳୀ ପୂର୍ବକ କରାଯାଇନଥିବାରୁ ତାହାକୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ । ଓପିଏସସି ପକ୍ଷରୁ ପରୀକ୍ଷାରେ ଦିଆଯାଇଥିବା ଟେଷ୍ଟ ବୁକଲେଟରେ ଫାର୍ମାସିଟ୍ୟୁକାଲ ଆଣ୍ଡ ମେଡିସିନାଲ କେମିଷ୍ଟ୍ରିରେ ମୋଟ ୧୩ ନମ୍ବର, ଫାର୍ମାକୋଲେଜିରେ ୪୮, ଫାର୍ମାସିଟ୍ୟୁକିସରେ ୨୫, ଫାର୍ମାକୋଗ୍ନୋସି ଓ ଫାଇଟୋକେମିଷ୍ଟ୍ରିରେ ୨୬, ଫାର୍ମାସିଟ୍ୟୁକାଲ ବାୟୋକେମିଷ୍ଟ୍ରି ଓ ମାଇକ୍ରୋବାୟୋଲୋଜିରେ ୨୨, ହ୍ୟୁମାନ ଆନାଟୋମିରେ ୨୪ ଓ ହସ୍ପିଟାଲ, କ୍ଲିନିକାଲ ଆଣ୍ଡ ଫରେନସିକ ଫାର୍ମାସିରେ ୧୭ ନମ୍ବରର ପ୍ରଶ୍ନ ଏପରି ଭାବେ ମୋଟ ୨୦୦ ମାର୍କ ପଡ଼ିଥିଲା । ଏହା ତ୍ରୁଟିପୂର୍ଣ୍ଣ ଥିବା ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା ।

Get real time updates directly on you device, subscribe now.