ମୁମ୍ବାଇ: ଅଜିତ ପାୱାରଙ୍କ ଏଣ୍ଟ୍ରୀ ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ବଢିଯାଇଥିବା ଅଶାନ୍ତି ଏବେ ଶାନ୍ତ ପଡିବାକୁ ଯାଉଛି । ପାର୍ଟି କହିଛି ସରକାରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସାମିଲ ହେବାକୁ ନେଇ କେହି ନାରାଜ ନୁହଁନ୍ତି । ତେବେ କିଛି ସମୟ ପୂର୍ବରୁ ପରିସ୍ଥିତି ଏପରି ବିଗିଡି ଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ସିନ୍ଦେ ଇସ୍ତଫା ଦେବା ପର୍ଯ୍ୟନ୍ତ ବି କଥା ଯାଇଥିଲା । କିନ୍ତୁ ଶିବସେନା ଏବେ ଏହାକୁ ଖାରଜ କରି ଦେଇଛି ।
ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଉଦୟ ସାମନ୍ତ ସିନ୍ଦେଙ୍କ ଇସ୍ତଫାକୁ ଏକ ଗୁଜବ ବୋଲି କହିଛନ୍ତି । ଏନସିପିର ଏଣ୍ଟ୍ରୀ ଦ୍ୱାରା ଶିବସେନାର ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟରେ ସିନ୍ଦେ ବୈଠକ ଡାକି ସମସ୍ତଙ୍କ ସହ ଆଲୋଚନା କରିଥିଲେ । ଅନ୍ୟପକ୍ଷରେ ନାଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମରେ ସିନ୍ଦେଙ୍କ ଅନୁପସ୍ଥିତି ବହୁ ପ୍ରଶ୍ନ ଛିଡା କରିଥିଲା । ସାମନ୍ତ କହିଛନ୍ତି ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ନେତୃତ୍ୱରେ ଆଗାମୀ ଲୋକସଭା ଅଧିବେଶନ, ମହାରାଷ୍ଟ୍ର ବିଧାନସଭା ଅଧିବେଶନ ସମ୍ବନ୍ଧରେ ମଧ୍ୟ ବୈଠକ ହୋଇଥିଲା । ଭବିଷ୍ୟତରେ ବିଧାୟକ, ସାଂସଦ, ଏମଏଲ୍ସି କଣ କରିବା ଉଚିିତ ହେବ ସେ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ସେ କହିଛନ୍ତି ଆମ ବିଧାୟକଙ୍କ ମଧ୍ୟରେ କୌଣସି ବି ଅସନ୍ତୋଷ ନାହିଁ । ଆମେ ସମସ୍ତେ ଏକନାଥ ସିନ୍ଦେଙ୍କ ଉପରେ ଭରସା କରୁଛୁ । ସମସ୍ତ ନିର୍ବାଚନ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ହିଁ ଲଢାଯିବ ।
ଅନ୍ୟପକ୍ଷରେ ନିଜ ବଙ୍ଗଳାରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ସିନ୍ଦେ ନିଜ ଇସ୍ତଫା ପ୍ରସଙ୍ଗକୁ ଟାଳି ଦେଇ କହିଛନ୍ତି, ମୁଁ ଜାଣିଛି କିଏ ଏହି ଗୁଜବ ପ୍ରଚାର କରୁଛି । ସେ ଦଳର ସମସ୍ତ ସଦସ୍ୟଙ୍କୁ ଅଭୟ ବାଣୀ ଦେଇ କହିଛନ୍ତି ପରିସ୍ଥିତିକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକ ନାହିଁ । ଆମକୁ ବାବା ସାହେବ ଆମ୍ବେଦକର ଯେଉଁ ସମ୍ବିଧାନ ଦେଇଛନ୍ତି ତାହାର ଆଦର ଆମେ ସମସ୍ତେ କରି ଶିଖିବା ଉଚିତ ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ମହାରାଷ୍ଟ୍ର କ୍ୟାବିନେଟରେ ଶିବସେନା ମନ୍ତ୍ରୀଙ୍କ ସଂଖ୍ୟା ୧୦ ଓ ବିଜେପିର ବି ସମ ସଂଖ୍ୟକ ମନ୍ତ୍ରୀ ରହିଛନ୍ତି । ଏନସିପିର ଏଣ୍ଟ୍ରୀ ଦ୍ୱାରା ଏହି ସଂଖ୍ୟା ୨୯ରେ ପହଞ୍ଚି ଯାଇଛି । ରାଜ୍ୟରେ ଏବେ ମୋଟ ମନ୍ତ୍ରୀ ସଂକ୍ୟା ୪୩ ରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି ।