fbpx

ଦେଶରେ ମାତ୍ର ୯ ଦିନ ପାଇଁ ରହିଛି କୋଇଲା ଷ୍ଟକ୍: ଏହି ୧୦ଟି ରାଜ୍ୟରେ ଆଗାମୀ ଦିନରେ ସୃଷ୍ଟି ହେବ ବିଜୁଳି ସଙ୍କଟ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର କିଛି ରାଜ୍ୟରେ କୋଇଲା ସଙ୍କଟ ଥିବା ନେଇ ଖବର ଆସିଛି । ତେବେ ଦେଶର ୧୦ଟି ରାଜ୍ୟରେ ଆଗାମୀ ଦିନମାନଙ୍କରେ କୋଇଲା ସଙ୍କଟ କାରଣରୁ ବିଦ୍ୟୁତ ସଙ୍କଟ ସୃଷ୍ଟି ହୋଇପାରେ । ଦେଶରେ ସୃଷ୍ଟି ହୋଇଥିବା କୋଇଲା ସଙ୍କଟକୁ କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି । ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନ ସମେତ କିଛି ରାଜ୍ୟରେ କୋଇଲା ନିଅଣ୍ଟ ରହିଛି । ବାହାରୁ ଆସୁଥିବା କୋଇଲାର ଦର ନିକଟରେ ଅଧିକ ମାତ୍ରାରେ ବୃଦ୍ଧି ପାଇଛି । ରେଲୱେ ଦ୍ୱାରା କୋଇଲା ପରିବହନ କ୍ଷେତ୍ରରେ ବିଳମ୍ବ ହିଁ ଏଥିପାଇଁ ଦାୟୀ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ ।

ଶ୍ରୀ ସିଂହ କହିଛନ୍ତି ଯେ, ପଞ୍ଜାବ ଓ ଉତ୍ତରପ୍ରଦେଶରେ କୋଇଲାର ସଙ୍କଟ ସ୍ଥିତି ନାହିଁ । ମାତ୍ର ରାଜସ୍ଥାନ, ଆନ୍ଧ୍ର ଓ ତାମିଲନାଡ଼ୁରେ ସଙ୍କଟଜନକ ସ୍ଥିତି ଦେଖାଦେଇଛି । ଏହି ରାଜ୍ୟଗୁଡ଼ିକରେ କୋଇଲା ନିଅଣ୍ଟ ପାଇଁ ବିଭିନ୍ନ କାରଣ ଦାୟୀ । ଆନ୍ଧ୍ରରେ କୋଇଲା ପହଞ୍ଚିବାରେ ବିଳମ୍ବ ହେଉଥିବାରୁ ସେଠାରେ କୋଇଲା ସଙ୍କଟ ଦେଖାଦେଇଛି । ୟୁକ୍ରେନ-ରୁଷ ଯୁଦ୍ଧ କାରଣରୁ ବିସ୍ଫୋଟକର ମାତ୍ରା ହ୍ରାସ ପାଇଛି, ଫଳରେ ଆନ୍ଧ୍ରର କୋଇଲା ପ୍ଲାଣ୍ଟରେ ବିସ୍ଫୋଟକର ମାତ୍ରା କମି ଯାଇଛି ।

ସେ ପୁଣି କହିଛନ୍ତି ଯେ, ବର୍ତ୍ତମାନ ଦେଶରେ କୋଇଲାର ଚାହିଦା ୯ ପ୍ରତିଶତ ବଢ଼ିଛି । ପୂର୍ବରୁ କୋଇଲା ଏପରି ଚାହିଦା ବଢ଼ିନଥିଲା । ଦେଶରେ ବର୍ତ୍ତମାନ କୋଇଲା ଷ୍ଟକ କମ୍ ରହିଛି । ଦେଶରେ ଏବେ ମାତ୍ର ୯ ଦିନ ପାଇଁ କୋଇଲା ଷ୍ଟକ ରହିଛି, ଯାହାକି ପୂର୍ବରୁ ୧୪-୧୫ ଦିନ ପାଇଁ ରହୁଥିଲା । କୋଇଲାର ଡିମାଣ୍ଡ ଯେଉଁ ମାତ୍ରାେରେ ବଢ଼ୁଛି, ସପ୍ଲାଇ ଉକ୍ତ ଅନୁପାତରେ ବଢ଼ି ପାରିବ ନାହିଁ ।

ସୂଚନାଯୋଗ୍ୟ ଯେ, ଦେଶରେ ପାଖାପାଖି ୧୦ଟି ରାଜ୍ୟରେ କୋଇଲା ସଙ୍କଟ ଥିବା ନେଇ ନିକଟରେ ମିଡ଼ିଆରେ ରିପୋର୍ଟ ପ୍ରକାଶ ପାଇଥିଲା । ସେଥିରେ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ତେଲେଙ୍ଗାନା ଆଦି ରାଜ୍ୟର ନାମ ଉଲ୍ଲେଖ ରହିଥିଲା । ୟୁପିରେ ୨୧ରୁ ୨୨ ହଜାର ମେଗାୱାଲ ବିଜୁଳି ଚାହିଦା ଥିବା ବେଳେ ୧୯ରୁ ୨୦ ମେଗାୱାଲ ବିଜୁଳି ମିଳୁଥିବା କୁହାଯାଇଥିଲା ।

Get real time updates directly on you device, subscribe now.