ସରକାରୀ କର୍ମଚାରୀଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବଢ଼ିଲା: ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସ ୩୧ ତାରିଖରେ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ । ସରକାରୀ ଚାକିରିରେ ରହି ଡ୍ୟୁଟି ନିର୍ବାହ କରୁଥିବା ସମୟରେ କୌଣସି ଅଘଟଣ ଘଟିଲେ କର୍ମଚାରୀଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯିବ । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବରୁ ଡ୍ୟୁଟି ସମୟରେ ମୃତ୍ୟୁ ଘଟିଲେ ସରକାରୀ ଚାକିରିଆଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତ ରାଶି ମିଳୁଥିଲା । ମାତ୍ର ଏବେ ଏହି ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ପୂର୍ବରୁ ଆହତ କର୍ମଚାରୀଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଥିବା ବେଳେ ଏବେ ତାହା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ଆଂଶିକ କାର୍ଯ୍ୟକ୍ଷମ ଆହତ କର୍ମଚାରୀଙ୍କୁ ପୂର୍ବରୁ ୧ ଲକ୍ଷ ମିଳୁଥିବା ବେଳେ ଏବେ ତାହା ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସରକାରୀ କର୍ମଚାରୀଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିବା ପରେ ଅର୍ଥ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର ବହୁ ସରକାରୀ କର୍ମଚାରୀ ଅଧିକ ଉପକୃତ ହୋଇ ପାରିବେ । ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ପରିବାରବର୍ଗଙ୍କ ସମସ୍ୟା ଦୂର କରିବାରେ ଏହି ନିଷ୍ପତ୍ତି ବେଶ ସହାୟକ ହେବ ।