fbpx

ବଡ଼ ଖବର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ହୃଷିକେଶ ନାଏକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ ଶିବିରରୁ ଆସିଛି ଏକ ବଡ଼ ଖବର । ବିଜେଡିର ଜଣେ ବରିଷ୍ଠ ନେତା ଦଳ ତ୍ୟାଗ କରିଛନ୍ତି । ପୂର୍ବତନ ବିଧାୟକ ହୃଷିକେଶ ନାଏକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ନାଏକ ବିଜେଡି, କଂଗ୍ରେସ ଓ ଲୋକଦଳରୁ ନିର୍ବାଚନ ଲଢ଼ି ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେଣୁ ସେ ଅଚାନକ ବିଜେଡି ଛାଡ଼ିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ହୃଷିକେଶ କେନ୍ଦୁଝର ଜିଲ୍ଲା ପାଟଣାରୁ ପୂର୍ବରୁ ବିଧାୟକ ରହିଥିଲେ । ଏଥିସହିତ ସେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ରହିଥିଲେ । ନିଜର ଇସ୍ତଫା ପତ୍ର ଶ୍ରୀ ନାଏକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି । ୨୦୧୯ ଲୋକସଭା ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଏଥିସହିତ ପରେ ତାଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ମଧ୍ୟ କୁହାଯାଇଥିଲା । ମାତ୍ର ଦଳର ପ୍ରତିଶ୍ରୁତି କାର୍ଯ୍ୟକାରୀ ନହେବା ଓ ଦଳରେ ତାଙ୍କୁ ଅଣଦେଖା କରାଯାଉ ଥିବାରୁ ସେ ଇସ୍ତଫା ଦେଇଥିବା ହୃଷିକେଶ କହିଛନ୍ତି ।

ତେବେ ବିଜେଡି ଛାଡ଼ିବା ପରେ ହୃଷିକେଶ ଏବେ କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କୌଣସି ଦଳୀୟ ଟିକେଟ୍ ନ ମିଳିଲେ ବି ସେ ସ୍ୱାଧୀନ ଭାବେ ଲଢ଼ିବାକୁ ଆଶାୟୀ ଥିବା ହୃଷିକେଶ କହିଛନ୍ତି । ହୃଷିକେଶ ୧୯୮୦ରେ ପ୍ରଥମ ଥର ପାଇଁ ପାଟଣାରୁ ଲୋକଦଳ ଟିକେଟରେ ବିଧାୟକ ହୋଇଥିଲେ । ଏହାପରେ ସେ ୧୯୮୫ ଓ ୧୯୯୫ରେ କଂଗ୍ରେସ ଟିକେଟରେ ପାଟଣା ଆସନରୁ ବିଧାୟକ ଭାବେ ଜିତିଥିଲେ । ୨୦୦୪ରେ ସେ କଂଗ୍ରେସରୁ ଟିକେଟ ନପାଇ ସ୍ୱାଧୀନ ଭାବେ ଲଢ଼ି ପରାଜିତ ହୋଇଥିଲେ । ୨୦୦୭ରେ ସେ ବିଜେଡିରେ ଯୋଗ ଦେଇଥିଲେ । ୨୦୦୯ ଓ ୨୦୧୪ରେ ସେ ବିଜେଡି ଟିକେଟରେ ପାଟଣାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ ତାଙ୍କୁ ବିଜେଡି ଟିକେଟ ଦେଇନଥିଲା ।

Get real time updates directly on you device, subscribe now.