fbpx

ଝିଅର ଅନଲାଇନ୍ କ୍ଲାସ୍ ପାଇଁ ପ୍ରବଳ ବର୍ଷାରେ ଘଣ୍ଟାଘଣ୍ଟା ଛତା ଧରି ରାସ୍ତାରେ ଠିଆ ହେଉଛନ୍ତି ବାପା

ଘରେ ଇଣ୍ଟରନେଟ୍ ସମସ୍ୟା ଥିବାରୁ ସବୁଦିନ ଏହିପରି ଭାବରେ ଆସି ରାସ୍ତାରେ ଠିଆ ହେବାକୁ ପଡ଼େ ।

ବେଙ୍ଗାଲୁରୁ: ଆଜି ହେଉଛି ବିଶ୍ୱ ପିତୃ ଦିବସ । ଏହି ଅବସରରେ ପିଲାମାନେ ନିଜ ବାପାଙ୍କୁ ଖୁସି କରିବାକୁ ନାନା ପ୍ରକାରର ଉଦ୍ୟମ କରୁଛନ୍ତି । ହେଲେ ସବୁପରେ ବି ବାପାଙ୍କ ଋଣ ସୁଝିବା ଅସମ୍ଭବ । ତେବେ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ୍ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ବାପା ଝିଅକୁ ପ୍ରବଳ ବର୍ଷାରେ ଛତା ଦେଖାଇ ରାସ୍ତା କଡ଼ରେ ଠିଆ ହୋଇଛନ୍ତି । ଯାହା ଫଳରେ ଝିଅ ବିନା ଦ୍ୱିଧାରେ ଅନଲାଇନ୍ କ୍ଲାସ୍ କରିପାରିବ ।

ତେବେ ସନ୍ଧାନରୁ ଜଣାପଡିଛି ଯେ, ଏହି ଫଟୋ କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ସୁଲିଆ ତାଲୁକର ଏକ ସୁଦୁର ଗାଁର ଚିତ୍ର । ସେଠାରେ ଘରକୁ ଭଲ ଭାବେ ଇଣ୍ଟରନେଟ୍ ପହଞ୍ଚିପାରୁ ନଥିବାରୁ ବାପା ରାସ୍ତା କଡ଼ରେ ଆସି ଛତା ଧରି ଠିଆ ହୋଇଛନ୍ତି ଏବଂ ଝିଅ ଅନଲାଇନ୍ କ୍ଲାସ୍ କରୁଛି । ତେବେ ଏହି ଫଟୋକୁ ସୁଲିଆର ଜଣେ ସାମ୍ବାଦିକ ମହେଶ ନିଜ କ୍ୟାମେରାରେ କଏଦ୍ କରିଛନ୍ତି । ମହେଶ କହିଛନ୍ତି ଯେ, ପ୍ରତିଦିନ ସନ୍ଧ୍ୟା ୪ଟାରେ ଝିଅ ସେହି ସ୍ଥାନକୁ କ୍ଲାସ୍ କରିବା ପାଇଁ ଆସେ । ଗାଁ ଅଞ୍ଚଳ ହୋଇଥିବାରୁ ଇଣ୍ଟରନେଟ୍ ସମସ୍ୟା ସେଠାରେ ଦେଖାଦେଇଥାଏ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଖାଲି ସେହି ଗ୍ରାମ ନୁହେଁ ବରଂ ଆଖପାଖ ଯେତେ ବି ଗାଁ ରହିଛି ସମସ୍ତଙ୍କ ସମାନ ଅସୁବିଧା । ପିଲାମାନେ ଅନଲାଇନ୍ ରେ ହେଉଥିବା କ୍ଲାସ୍ କରିବାକୁ ଅନେକ ପ୍ରକାରର ହଇରାଣ ହୁଅନ୍ତି । ଏମିତିକି ଗାଁରେ ଭଲ ଭାବରେ ବିଜୁଳି ରହୁନଥିବାରୁ ମୋବାଇଲ୍ ଚାର୍ଜ ରୁହେନାହିଁ । ତେଣୁ ପିଲାମାନେ ନାନା ଅସୁବିଧାର ସାମନା କରନ୍ତି ।

Get real time updates directly on you device, subscribe now.