fbpx

ଚାକିରି ହରାଇଲେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୫୦ ଅଧ୍ୟାପକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଚ୍ଚଶିକ୍ଷା ବିଭାଗର ନିୟମ ଅବମାନନା ଅଭିଯୋଗରେ ଚାକିରିରୁ ବିଦା ହୋଇଛନ୍ତି ୫୦ ଜଣ ଅଧ୍ୟାପକ । ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଏହି ଅଧ୍ୟାପକମାନେ କାର୍ଯ୍ୟ କରୁଥିଲେ । ଗତମାସ ୩୦ ତାରିଖରେ ସମସ୍ତ ଅତିଥି ଅଧ୍ୟାପକମାନଙ୍କୁ କାର୍ଯ୍ୟରୁ ଅନ୍ତର କରି ଦିଆଯାଇଥିବା ଜଣାପଡ଼ିଛି । ଅଧ୍ୟାପକମାନେ ମେ ମାସ ପହିଲାରୁ କାର୍ଯ୍ୟକୁ ନ ଆସିବା ପାଇଁ ରେଜିଷ୍ଟରଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ହୋଇଥିଲା ।

ତେବେ ନୂଆ ଅତିଥି ଅଧ୍ୟାପକଙ୍କ ଚୟନ ପ୍ରକ୍ରିୟା ମଧ୍ୟ ସମାପ୍ତ ହୋଇଥିବା ଜଣାପଡ଼ିଛି । ତେବେ ଏହି ଘଟଣାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଲା ପରେ ଅତିଥି ଅଧ୍ୟାପକଙ୍କ ଚୟନ କରିବା ପାଇଁ ଏହି ଉଚ୍ଚଶିକ୍ଷାନୁଷ୍ଠାନ ନିଜର ଗାଇଡଲାଇନ୍ ପ୍ରସ୍ତୁତ କରିପାରିବ କି ନାହିଁ ତାହା ବର୍ତ୍ତମାନ ପ୍ରଶ୍ନ ଘେରରେ ।

ଜଣାପଡ଼ିଛି ଯେ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ୧୮ଟି ସ୍ନାତକ ଓ ସ୍ନାତକୋତ୍ତର ବିଭାଗ ଥିବା ବେଳେ ସ୍ଥାୟୀ ଅଧ୍ୟାପକଙ୍କ ସଂଖ୍ୟା ୨୦ରେ ସୀମିତ ରହିଛି । ସେମାନଙ୍କ ମଧ୍ୟରେ କିଛି ଆଡହକ୍ ଶିକ୍ଷକ ରହିଛନ୍ତି । ଅତିଥି ଅଧ୍ୟାପକଙ୍କ ଦ୍ୱାରା ଶିକ୍ଷାଦାନର ଅଭାବ ପୂରଣ ହେଉଥିଲା । ବର୍ତ୍ତମାନ ପିଲାଙ୍କର ଶେଷ ସେମିଷ୍ଟର ପାଠପଢ଼ା ସମାପ୍ତ ହୋଇନଥିବା ବେଳେ ଚଳିତ ମାସ ପହିଲାରୁ ସମସ୍ତ ଅତିଥି ଅଧ୍ୟାପକଙ୍କୁ କାର୍ଯ୍ୟରୁ ଅନ୍ତର କରିଦେବା ଫଳରେ ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି । ଇକୋନୋମିକ୍, ପରିସଂଖ୍ୟାନ, ହିନ୍ଦି ଓ ବି.ଇଡିରେ ଜଣେ ବି ସ୍ଥାୟୀ ଶିକ୍ଷକ ନାହାନ୍ତି । ଏପରି ସ୍ଥିତିରେ ନୂଆ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇ ନଥିବାରୁ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଛି ।

Get real time updates directly on you device, subscribe now.