fbpx

ରାହୁଲଙ୍କର ମୁସ୍କିଲ ସରିନାହି: କେବଳ ସଜ୍ଜା ଉପରେ ରୋକ ଲାଗିଛି, ସୁପ୍ରିମକୋର୍ଟଙ୍କ ସୁରକ୍ଷା କେତେଦିନ ପର୍ଯ୍ୟନ୍ତ ଜାରି ରହିବ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମୋଦୀ ସରନେମ ମାମଲାରେ ମିଳିଛି ବଡ଼ ଆଶ୍ୱସ୍ତି । ରାହୁଲଙ୍କ ଜେଲଦଣ୍ଡାଦେଶ ଉପରେ ସର୍ବୋଚ୍ଚ ଅଦାଲତ ରୋକ ଲାଗୁ କରିଛନ୍ତି । ତେବେ ଏହି ନିଷ୍ପତ୍ତି ପରେ ଏବେ ରାହୁଲ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲଢ଼ିପାରିବେ କି, ତାଙ୍କର ଲୋକସଭା ସାଂସଦ ପଦ ସେ ପୁନର୍ବାର ଫେରିପାଇବେ କି ଆଦି ପ୍ରଶ୍ନ ସବୁ ସୃଷ୍ଟି ହୋଇଛି । ତେବେ ସଜ୍ଜା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଥିଲେ ହେଁ ରାହୁଲଙ୍କର ମୁସ୍କିଲ ସମାପ୍ତ ହୋଇ ନାହିଁ ।

୨୦୧୯ର ଅପରାଧିକ ମାନହାନୀ ମାମଲାରେ ରାହୁଲଙ୍କ ସଜ୍ଜା ଉପରେ ସୁପ୍ରିମକୋର୍ଟ ରୋକ ଲାଗୁ କରିଛନ୍ତି । ପୂର୍ବରୁ ୨ ବର୍ଷର ଜେଲଦଣ୍ଡାଦେଶ ପରେ ତାଙ୍କର ସାଂସଦ ପଦ ରଦ୍ଦ ହୋଇଯାଇଥିଲା । ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାହୁଲ ସଦସ୍ୟତା ଫେରି ପାଇବା ପରିଷ୍କାର ହୋଇଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ରୋକ କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ । ଗୁଜରାଟର ସେସନ୍ସ କୋର୍ଟରେ ଏବେ ବି ମାମଲା ବିଚାରାଧୀନ ରହିଛି, ଯାହାକି ଆଗକୁ ଶୁଣାଣି କରାଯିବ ।
ରାହୁଲ ଗାନ୍ଧି ମେଟ୍ରୋପଲିଟାନ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ସେସନ୍ସ କୋର୍ଟ, ହାଇକୋର୍ଟ ଓ ସୁପ୍ରିମକୋର୍ଟ ଯାଇଥିଲେ । ଗତମାସରେ ଗୁଜରାଟ ହାଇକୋର୍ଟରେ ରାହୁଲଙ୍କର ଯାଚିକା ଖାରଜ ହେବା ପରେ ସେ ସୁପ୍ରିମକୋର୍ଟ ଯାଇଥିଲେ । ଏବେ ରାହୁଲଙ୍କ ସଜ୍ଜା ଉପରେ ରୋକ ଲାଗିବା ପରେ ସେ ଲୋକସଭାକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ରାହୁଲଙ୍କ ପାଇଁ ଦଳର ବରିଷ୍ଠ ନେତା ଅଧୀ ରଞ୍ଜନ ଚୌଧୁରୀ ବାଚସ୍ପତିଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ଏବେ ରାହୁଲଙ୍କର ସମସ୍ୟା ସରିନାହିଁ । କେବଳ ତାଙ୍କର ସଜ୍ଜା ଉପରେ ରୋକ ଲାଗିଛି । ସେସନ୍ସ କୋର୍ଟର ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ରାହୁଲଙ୍କ ଦେଇଥିବା ସୁରକ୍ଷା ବଳବତ୍ତର ରହିବ । ଅର୍ଥାତ ମୋଦୀ ସରନେମ ମାମଲାରେ ବିଚାର ସୁରତର ସେସନ୍ସ କୋର୍ଟରେ ଜାରି ରହିବ ।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ଏପ୍ରିଲ ୩ରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନୀ ସଭାରେ ରାହୁଲ କହିଥିଲେ, ‘ସବୁ ଚାରି ଚୋରଙ୍କ ଉପନାମ ମୋଦୀ କାହିଁକି ରହିଛି?’ ତେଣୁ ଏନେଇ ରାହୁଲଙ୍କ ବିରୋଧରେ ପୂର୍ଣ୍ଣେଶ ଅପରାଧିକ ମାନହାନୀ ମାମଲା ଦାୟର କରିଥିଲେ । ଏହି ମାମଲାରେ ସୁରତର ଏକ କୋର୍ଟ ୨ ବର୍ଷର ଜେଲଦଣ୍ଡ ଶୁଣାଣି କରିଥିଲେ । ଗୁଜରାଟ ହାଇକୋର୍ଟ ଜୁଲାଇ ୭ରେ ରାହୁଲଙ୍କ ଦୋଷୀ ସାବ୍ୟସ୍ତ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ । ଏହାପରେ ରାହୁଲ ସୁପ୍ରିମକୋର୍ଟ ଯାଇଥିଲେ ।

Get real time updates directly on you device, subscribe now.