fbpx

୨୦୩୦ ପର୍ଯ୍ୟନ୍ତ ଜେଲରେ ହିଁ ରହିବ ଗ୍ୟାଙ୍ଗଷ୍ଟାର ଆବୁ ସାଲେମ, ସୁପ୍ରିମକୋର୍ଟଙ୍କ ବଡ ଆଦେଶ

ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିୟଲ ବୋମା ବିସ୍ଫୋରଣ ଘଟଣାରେ ଦୋଷୀ ଗ୍ୟାଙ୍ଗଷ୍ଟାର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ମିଳିଛି। ୨୫ ବର୍ଷର ସଜା ପୂରା ହେବା ପରେ ହିଁ ଆବୁ ସାଲେମର ଖଲାସ ନେଇ ସରକାର ବିଚାର କରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଫଳରେ ସାଲେମ ୨୦୨୭ରେ ଜେଲରୁ ମୁକୁଳି ପାରିବ ନାହିଁ। ପୂରା ସଜା କାଟିବା ପରେ ହିଁ ୨୦୩୦ରେ ଜେଲରୁ ମୁକ୍ତି ମିଳିବ।

ସାଲେମ ନିଜ ଆବେଦନରେ ଦାବି କରିଥିଲେ ଯେ, ୨୦୨୭ରେ ସଜାକୁ ୨୫ ବର୍ଷ ପୂରିବ। ଏଥିପାଇଁ ତାଙ୍କୁ ମୁକ୍ତ କରାଯାଉ। ସାଲେମ ପର୍ତ୍ତୁଗାଲରୁ ପ୍ରତ୍ୟର୍ପଣ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରା କରିବା ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଆବେଦନର ଶୁଣାଣି କରି କହିଛନ୍ତି, ଆଜୀବନ କାରାଦଣ୍ଡ ଦେଇଥିବା କୋର୍ଟ ପ୍ରତ୍ୟର୍ପଣ ସମୟରେ ସରକାରଙ୍କ ପକ୍ଷରୁ ଅନ୍ୟ ଦେଶରେ ଦେଇଥିବା ପ୍ରତିଶ୍ରୁତିରେ ବନ୍ଧା ନୁହନ୍ତି। ପର୍ତ୍ତୁଗାଲରେ ହେପାଜତରେ କଟିଥିବା ତିନି ବର୍ଷ ଭାରତରେ ମିଳିଥିବା ସଜାର ଅଂଶ ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି ୨୦୦୫ରେ ଆବୁ ସାଲେମର ପ୍ରତ୍ୟର୍ପଣ ହୋଇଥିଲା। ୨୫ ବର୍ଷ ସଜା ପୂରା ହେବା ପରେ ହିଁ ସରକାର ଏହା ଉପରେ ନିଷ୍ପତ୍ତି ନିଅନ୍ତୁ।

ସୂଚନାଯୋଗ୍ୟ, ୨୦୧୫ ଫେବୃଆରୀ ୨୫ରେ ଏକ ସ୍ଵତନ୍ତ୍ର ଅଦାଲତ ୧୯୯୫ରେ ମୁମ୍ବାଇର ବିଲଡର ପ୍ରଦୀପ ଜୈନ ଏବଂ ତାଙ୍କ ଡ୍ରାଇଭର ମେହନ୍ଦୀ ହସନଙ୍କ ହତ୍ୟା ମାମଲାରେ ସାଲେମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ୧୯୯୩ ମୁମ୍ବାଇ ସିରିୟଲ ବୋମା ବିସ୍ଫୋରଣ ଘଟଣାରେ ଦୋଷୀ ଆବୁ ସାଲେମଙ୍କୁ ଲମ୍ବା ଆଇନଗତ ଲଢେଇ ପରେ ୨୦୦୫ ନଭେମ୍ବର ୧୧ରେ ପର୍ତ୍ତୁଗାଲରୁ ଭାରତ ଅଣାଯାଇଥିଲା।

 

Get real time updates directly on you device, subscribe now.