ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଥିଲେ । ସେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବା ପରେ ରାଜଧାନୀର ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାର ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିଥିଲେ । ଏହାପରେ ରାଷ୍ଟ୍ରପତି ରାଜଭବନରେ ରାତ୍ରିଯାପନ କରିଥିଲେ ଓ ଆଜି ସକାଳୁ ରାଜଭବନରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ।
ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଜି ପୁରୀରେ ସ୍କୁଲ ବନ୍ଦ ରହିବ । ନୌସେନା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା କାରଣରୁ ପୁରୀରେ ସ୍କୁଲ ବନ୍ଦ ରଖିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପୁରୀ ପୌରପାଳିକାର ସମସ୍ତ ସ୍କୁଲ ଆସନ୍ତାକାଲି ବନ୍ଦ ରହିବ । ସରକାରୀ, ଘରୋଇ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲ ବନ୍ଦ ରହିବ । ଏଥିସହିତ ନିକଟବର୍ତ୍ତୀ ମଦର୍ସ ପବ୍ଲିକ ସ୍କୁଲ, ପ୍ରଭୁଶ୍ରୀ ଇଂଲିଶ ମିଡିୟମ ସ୍କୁଲ, ଚନ୍ଦ୍ରଶେଖର ଏକାଡେମୀ, ସେଣ୍ଟ ଜାଭିୟର ସ୍କୁଲ ମଧ୍ୟ ବନ୍ଦ ରହିବ । ତେବେ ଏନସିଇଆରଟି ଦ୍ୱାରା ପରିଚାଳିତ ପରାଖ ପରୀକ୍ଷା ହେବ ବୋଲି କୁହାଯାଇଛି । ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବିମାନ ଯୋଗେ ପୁରୀର ତାବଣିଆ ହେଲିପାଡ୍ ପଡ଼ିଆରେ ପହଞ୍ଚିବେ । ପୁରୀରେ ନୌସେନା ଦିବସ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହି ଅବସରରେ ଅପରାହ୍ଣରେ ରାଷ୍ଟ୍ରପତି ନୌସେନାର କୌଶଳ ପ୍ରଦର୍ଶନ ଓ ପ୍ରତିରକ୍ଷାରେ ବ୍ୟବହାର କରାଯାଉଥିବା ଯୁଦ୍ଧ ସାମଗ୍ରୀ ପ୍ରଦର୍ଶନକୁ ଦେଖିବେ ।