ନୂଆଦିଲ୍ଲୀ,୧୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସନ୍ଧ୍ୟାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ତାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ବୈଠକ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଆସିନାହିଁ। କିନ୍ତୁ ଏହି ବୈଠକରେ ଅପରେସନ ସିନ୍ଦୂରକୁ ନେଇ ଜୋରଦାର ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି।
ଏହି ବୈଠକ ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। କୁହାଯାଉଛି ଯେ, ଏହି ଉଚ୍ଚସ୍ତରୀୟ ବୈଠକରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିବା ପାଇଁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ପରିସ୍ଥିତି ଉପରେ ଆଲୋଚନା ହୋଇଥିବା କୁହାଯାଉଛି।
ବୈଠକ ପୂର୍ବରୁ, କେନ୍ଦ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ‘ଅପରେସନ୍ ସିନ୍ଦୂର’ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନିଷ୍ପତ୍ତି, ବିଭିନ୍ନ ଏଜେନ୍ସି ଦ୍ୱାରା ସଠିକ୍ ଗୁପ୍ତ ସୂଚନା ସଂଗ୍ରହ ଏବଂ ଭାରତୀୟ ସଶସ୍ତ୍ର ବାହିନୀର ଅଦମ୍ୟ ଶକ୍ତିର ପ୍ରତିଫଳନ। ବିଭିନ୍ନ ଏଜେନ୍ସି ମଧ୍ୟରେ ଗୁପ୍ତ ସୂଚନା ବାଣ୍ଟିବା ପାଇଁ ଦିଲ୍ଲୀରେ ଏକ ନୂତନ କେନ୍ଦ୍ର ଉଦଘାଟନ କରିବା ପରେ ଶାହ ଏହା କହିଛନ୍ତି। ଗୁଇନ୍ଦା ବ୍ୟୁରୋ ଅଧୀନରେ ଏହି ବହୁ-ଏଜେନ୍ସି କେନ୍ଦ୍ର ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିଷ୍ଠିତ ହୋଇଥିଲା, ଯାହାର ଲକ୍ଷ୍ୟ ଆଇନ ପ୍ରବର୍ତ୍ତନ ସହିତ ଜଡିତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସମୟୋଚିତ ସୂଚନା ବାଣ୍ଟିବା।