ମଣିଷ ଧରିତ୍ରୀ ବକ୍ଷରେ ସର୍ବଦା ସୁରକ୍ଷିତ ଭାବେ ରହି ପାରିବ ନାହିଁ, ସମୟ ଆସିଲେ ଡାୟନାସୋର ପରି ବିଲୁପ୍ତ ହୋଇଯିବ, ISROର ନୂଆ ବୈଜ୍ଞାନିକ ତଥ୍ୟ
ନୂଆଦିଲ୍ଲୀ: ମଣିଷର ଜୀବନ ଓ ଅସ୍ତିତ୍ୱକୁ ନେଇ ଅନେକ ସମୟରେ ବିଜ୍ଞାନ କିଛି ନୂଆ ନୂଆ ତଥ୍ୟ ପ୍ରଦାନ କରିଥାଏ । ତେବେ ମଣିଷ ସର୍ବଦା ପୃଥିବୀପୃଷ୍ଠିରେ ସୁରକ୍ଷିତ ଭାବେ ରହି ପାରିବ ନାହିଁ । ସମୟ ଆସିଲେ ମଣିଷ ମଧ୍ୟ ଡାୟନାସୋର ପରି ଧରିତ୍ରୀ ବକ୍ଷରୁ ବିଲୁପ୍ତ ହୋଇଯିବ । ତେଣୁ ମହାକାଶରେ ମଣିଷ ପାଇଁ ଏକ ନୂଆ ଧରିତ୍ରୀ ଖୋଜିବା ଆବଶ୍ୟକତା ରହିଛି, ଯେଉଁଠି ମଣିଷ ସୁରକ୍ଷିତ ରହିବାର ସମ୍ଭାବନା ରହିଥିବ । ଇସ୍ରୋର ମୁଖ୍ୟ ଡଃ ଏସ. ସୋମନାଥ ମଣିଷକୁ ନେଇ ଏଭଳି ତଥ୍ୟ ପ୍ରଦାନ କରିଛନ୍ତି ।
ମଣିଷ ମହାକାଶକୁ ଯିବାର ଆବଶ୍ୟକତା କ’ଣ ରହିଛି? ଧରିତ୍ରୀ ବକ୍ଷରେ କ’ଣ ସ୍ଥାନର ଅଭାବ ରହିଛି? ପୁଣି ମହାକାଶ କାହିଁକି? ଏପରି ପ୍ରଶ୍ନସବୁ ଲୋକମାନେ ପଚାରିଥାନ୍ତି । ଏହାର ଉତ୍ତରରେ ସୋମନାଥ କହିଥିଲେ, ମଣିଷ ପୃଥିବୀପୃଷ୍ଠରେ ସବିଦିନ ପାଇଁ ସୁରକ୍ଷିତ ଭାବେ ରହିପାରିବ ନାହିଁ । ବିରାଟକାୟ ଜୀବ ଡାୟନାସୋର ପରି ମଣିଷ ମଧ୍ୟ ସମୟ ଆସିଲେ ଏ ଧରିତ୍ରୀ ବକ୍ଷରୁ ବିଲୁପ୍ତ ହୋଇଯିବ । ତେଣୁ ମହାକାଶରେ ମଣିଷ ପାଇଁ ସୁରକ୍ଷିତ ସ୍ଥାନର ସନ୍ଧାନ ଚାଲିଛି ।
ପୃଥିବୀ ପାଖରେ ବାୟୁମଣ୍ଡଳ ରହିଛି, ତେଣୁ ଆମେମାନେ ଆଷ୍ଟରଏଡସ ଆକ୍ରମଣରୁ ସହଜରେ ବର୍ତ୍ତି ପାରୁଛେ । ମାତ୍ର ଚନ୍ଦ୍ରମା ଓ ମଙ୍ଗଳରେ କିଛି ବାୟୁମଣ୍ଡଳ ନାହିଁ । ଡାୟନାସୋର ପାଖରେ ବୁଦ୍ଧିର ଅଭାବ ଥିଲା, ତେଣୁ ସେ ଲୋପ ପାଇଗଲା । ମାତ୍ର ମଣିଷ ଜାଣିପାରିଛି ତା’ ପାଇଁ ଧରିତ୍ରୀରେ ବହୁତ କମ୍ ସମୟ ବାକି ଅଛି । ତେଣୁ ସେ ସୁରକ୍ଷିତ ଭାବେ ରହିବା ପାଇଁ ବିକଳ୍ପ ସ୍ଥାନ ଓ ପରିବେଶର ସନ୍ଧାନ କରିବା ଜରୁରୀ । ସମୟ ଆସିବ ଦିନେ ନା ଦିନେ ଏହି ବିଶାଳକାଳୟ ଧରିତ୍ରୀ ଧ୍ୱଂସ ପାଇଯିବ । ଏହାଦ୍ୱାରା ମଣିଷ ମଧ୍ୟ ଲୋପ ପାଇଯିବ ।