ଝିଅ ଆଖି ଆଗରେ ମା’କୁ ମାରି ଟାଙ୍ଗିଦେଲା ବାପା, କୁନି ହାତରେ ଚିତ୍ର ଆଙ୍କି କଲା ଖୁଲାସା
ବାପା ମୁଣ୍ଡରେ ସବାର ଥିଲା ଯୌତୁକ ଲୋଭ । ରାଗରେ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ ।
ଝାନ୍ସି: ମା’ର ମୃତ୍ୟୁ ଉପରୁ ପର୍ଦ୍ଦା ହଟାଇଲାକ କୁନି ଝିଅ । ଉତ୍ତର ପ୍ରଦେଶ ଝାନ୍ସିର ପଞ୍ଚବଟୀ ଶିବ ପରିବାର କଲୋନୀର ଘଟଣା । ସୋମବାର ୨୭ବର୍ଷୀୟା ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ଯାହାକୁ ଶାଶୁଘର ଲୋକେ ଆତ୍ମହତ୍ୟା ବୋଲି କହିଥିଲେ ।
କିନ୍ତୁ ତାହା ଆତ୍ମହତ୍ୟା ନ ଥିବା ବରଂ ଥିଲା ହତ୍ୟା । କୁନି ଝିଅର ଡ୍ରଇଂ ସତ ଉପରୁ ପର୍ଦ୍ଦା ହଟେଇଛି । ବାପା, ଜେଜେମା’ କିପରି ହତ୍ୟା କରିଛନ୍ତି ତାକୁ ଗୋଟି ଗୋଟି ବଖାଣିଛନ୍ତି କୁନି ଝିଅ ।
ଚିତ୍ର କହିଲା ସତ: ୪ ବର୍ଷ ବୟସର ଝିଅ ଖନେଇ ଖନେଇ ସବୁ ବଖାଣିଥିଲେ । ସୋମବାର ଦିନ ସନ୍ଦେହଜନକ ଅବସ୍ଥାରେ ସୋନାଲିଙ୍କ ମୃତ୍ୟୁ ହୋଇଥିଲା । ଶାଶୁଘର ଲୋକେ ସୋନାଲିଙ୍କୁ ଡାକ୍ତରଖାନା ନେଇଯାଇଥିଲେ । ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏମିତି କଲେ ବାପା: ଡାକ୍ତରଖାନାରେ କୁନି ଝିଅ ଦର୍ଶିତା ଚିତ୍ର ଆଙ୍କି ସବୁ କହିଛି । ‘ବାପା ମାଡ଼ଦେଇ ମା’ଙ୍କୁ ମାରିଦେଲେ । ଏହାପରେ ଦରମରା ଅବସ୍ଥାରେ ମା’ ଗଳାରେ କପଡ଼ା ଲଗେଇ ଫ୍ୟାନରେ ଝୁଲେଇଦେଲେ । ପରେ ଏକ ପଥରରେ ମା’ଙ୍କ ମୁଣ୍ଡକୁ ବାଡେଇ ଦେଲେ । ଏହାର କିଛି ସମୟ ପରେ ସୋନାଲିଙ୍କ ମୃତଦେହକୁ ଆଣି ଏକ ବସ୍ତାରେ ଭର୍ତ୍ତି କରିଥିଲେ ବାପା ।
ଡରାଉଥିଲେ: ପୂର୍ବରୁ ସୋନାଲିଙ୍କୁ ଜୀବନରୁ ମାରିବା ପାଇଁ ସନ୍ଦିପ କହୁଥିଲେ । ଥରେ କୁନି ଝିଅ ସାହସ କରି ବାପାଙ୍କୁ ତାଗିଦ୍ କରି କହିଥିଲା; ଯଦି ତୁମେ ମୋ ମା’କୁ ଆଉଥରେ ମାରଧର କର ତେବେ ମୁଁ ତୁମ ହାତ ଭାଙ୍ଗିଦେବି । ଯାହାର ଉତ୍ତରରେ ସନ୍ଦିପ କହିଥିଲେ, ସେ ମରିବ… ଆଉ ତତେ ବି ମୁଁ ମାରିଦେବି ।
୨୦ ଲକ୍ଷ ଯୌତୁକ: ସୋନାଲିଙ୍କ ବାପା ସଞ୍ଜୀବ ତ୍ରିପାଠୀଙ୍କ ଘର ଟିକମଗଡ଼ ମଧ୍ୟପ୍ରଦେଶରେ । ୨୦୧୯ରେ ସନ୍ଦିପ ସୋନାଲିଙ୍କ ବାହାଘର ହୋଇଥିଲା । ବାହାଘରବେଳେ ଯୌତୁକ ବାବଦକୁ ୨୦ ଲକ୍ଷ ଟଙ୍କା ଦେଇଥିଲେ ସଞ୍ଜୀବ । ସନ୍ଦିପ ପେଶାରେ ଜଣେ ମେଡିସିନ୍ ରିପ୍ରେଜିଣ୍ଟେଟର ।
ମତେ କାର ଦରକାର: ବାହାଘର ପରେ ସନ୍ଦିପଙ୍କ ଘର ଲୋକଙ୍କ ଆବଶ୍ୟତା ବଢ଼ି ଚାଲିଥିଲା । ସେମାନେ କାର୍ ପାଇଁ ସବୁବେଳେ ଦାବି କରୁଥିଲେ । କିନ୍ତୁ ସଞ୍ଜୀବ କାର୍ ଦେବା ଲାଗି ସକ୍ଷମ ନୁହନ୍ତି ବୋଲି କହିଥିଲେ । ଏହାପରଠାରୁ ସୋନାଲିଙ୍କ ଉପରେ ଶାଶୁଘରର ନିର୍ଯାତନା ବଢ଼ିଚାଲିଥି ।