fbpx

IPL 2022ର ପ୍ଲେ ଅଫର ମ୍ୟାଚରେ ଯଦି ବାଧା ଉପୁଜେ ତେବେ ଏମିତି ବାହାରିବ ରେଜଲ୍ଟ

ନୂଆଦିଲ୍ଲୀ: ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି ଆଇପିଏଲ ୨୦୨୨। ଲିଗ୍ ରାଉଣ୍ଡ ସରିବା ପରେ ଏବେ ଆରମ୍ଭ ହେବ ପ୍ଲେ ଅଫ ମୁକାବିଲା। ଯଦି ପ୍ଲେ ଅଫ ମ୍ୟାଚରେ ପାଣିପାଗ ବାଧା ଦିଏ ତେବେ କେଉଁ ଦଳ ଆଗକୁ ବଢିବ। ଏମିତି ସ୍ଥିତିରେ ମ୍ୟାଚର ଫଳାଫଳ ପାଇଁ ସୁପର ଓଭରର ସହାୟତା ନିଆଯିବ। ମ୍ୟାଚ୍ ନହେବା ସ୍ଥିତିରେ ଗୋଟିଏ ସୁପର ଓଭର ଖେଳାଯିବ। ଯଦି ସୁପର ଓଭର ଟାଇ ରହେ ତେବେ ଆଉ ଏକ ସୁପର ଓଭର ଖେଳାଯିବ। ଆଇପିଏଲ ୨୦୨୨ରେ କେବଳ କ୍ଵାଲିଫାୟର ଏବଂ ଏଲିମିନେଟର ମ୍ୟାଚ୍ ନୁହେଁ ବରଂ ଫାଇନାଲ୍ ମ୍ୟାଚରେ ବି ନିୟମ ଲାଗୁ ହେବ।

ଆଇପିଏଲ ୨୦୨୨ର ପ୍ଲେ ଅଫ ମ୍ୟାଚଗୁଡିକରେ ପାଣିପାଗର ପ୍ରତିକୂଳ ପ୍ରଭାବ ପଡିବା ନେଇ ଆଶଙ୍କା ରହିଛି। ଯଦି ମ୍ୟାଚ୍ ବାଧାପ୍ରାପ୍ତ ହୁଏ ଏବଂ ନିର୍ଦ୍ଧାରିତ ସମୟରେ ଗୋଟିଏ ଲେଖାଏଁ ଓଭରର ମ୍ୟାଚ୍ ସମ୍ଭବ ନହୁଏ କିମ୍ବା ପଡିଆ ଖେଳିବା ଉପଯୋଗୀ ନରୁହେ ତେବେ ଏମିତି ସ୍ଥିତିରେ ପଏଣ୍ଟ ଟେବୁଲର ବ୍ୟବହାର କରାଯିବ। ଯେଉଁ ଦଳ ଶୀର୍ଷରେ ଥିବ ଏବଂ ନେଟ୍ ରନ ରେଟ୍ ଉନ୍ନତ ଥିବ ସେ ଦଳକୁ ବିଜୟୀ ଘୋଷିତ କରାଯିବ। ଏମିତି ନିୟମ ଏଥିପାଇଁ ଲାଗୁ କରାଯିବ କାରଣ କୋଲକାତା ଏବଂ ଅହମ୍ମଦାବାଦରେ ପାଣିପାଗ ଖରାପ ହେବାର ଅନୁମାନ କରାଯାଉଛି।

ମେ ୨୪ରେ ପ୍ରଥମ କ୍ଵାଲିଫୟାରରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ। ଏହି ମୁକାବିଲା କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ଏହାର ପରବର୍ତ୍ତୀ ଦିନ ଏଲିମିନେଟର ମ୍ୟାଚ୍ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। କ୍ରିକଇନଫୋର ରିପୋର୍ଟ ଅନୁଯାୟୀ, ସପ୍ତାହର ପ୍ରଥମ କିଛି ଦିନ ସହରରେ ପାଣିପାଗ ବିଗିଡିବାର ପୂର୍ବାନୁମାନ କରାଯାଇଛି। ତେଣୁ ନିର୍ଦ୍ଧାରିତ ସମୟ ଅନୁସାରେ ମ୍ୟାଚ୍ ଆୟୋଜନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ପ୍ଲେ ଅଫ ମ୍ୟାଚ୍ ପାଇଁ ଅତିରିକ୍ତ ଦୁଇ ଘଣ୍ଟାର ସମୟ ଯୋଡା ଯାଇଛି। ଯଦି ବର୍ଷା ହୁଏ ତେବେ ପ୍ଲେ ଅଫର ସମସ୍ତ ମ୍ୟାଚ୍ ରାତି ୯ଟା ୪୦ ସୁଦ୍ଧା ଆରମ୍ଭ ହୋଇପାରେ। ଫାଇନାଲ୍ ମ୍ୟାଚ୍ ରାତି ୧୦ଟା ୧୦ ସୁଦ୍ଧା ଆରମ୍ଭ ହୋଇପାରେ। ଯଦି ଏହି ସମୟ ଭିତରେ ମ୍ୟାଚ୍ ଆରମ୍ଭ ହୋଇଯାଏ ତେବେ ଓଭର ହ୍ରାସ କରାଯିବ ନାହିଁ। ଆବଶ୍ୟକ ପଡିଲେ ବ୍ରେକକୁ ଛୋଟ କରି ଦିଆଯିବ।

ଗାଇଡଲାଇନ୍ ଅନୁସାରେ ପ୍ଲେ ଅଫର ମ୍ୟାଚ୍ ଗୁଡିକ ଅତି କମରେ ପାଞ୍ଚ ଓଭର ଖେଳାଯିବା ଉଚିତ୍। ରାତି ୧୨ଟା ୨୬ ସୁଦ୍ଧା ୫-୫ ଓଭରର ମ୍ୟାଚ୍ ଆରମ୍ଭ ନହେଲେ କିମ୍ବା ବର୍ଷା ଅଧିକ ସମୟ ଧରି ମ୍ୟାଚରେ ବାଧା ଦେଲେ ସୁପର ଓଭରର ସାହାରା ନିଆଯିବ। ଯଦି ପାଗ ଖରାପ ଯୋଗୁଁ ସୁପର ଓଭର ନହୁଏ ତେବେ ପଏଣ୍ଟ ଟେବୁଲ ଅନୁସାରେ ମ୍ୟାଚର ଫଳାଫଳ ଘୋଷଣା କରାଯିବ।

ଆଇପିଏଲ ୨୦୨୨ର ଫାଇନାଲ୍ ମ୍ୟାଚ୍ ରାତି ୮ଟାରେ ଆରମ୍ଭ ହେବ। ପ୍ରତିକୂଳ ପାଣିପାଗ ଯୋଗୁଁ ଫାଇନାଲ୍ ମ୍ୟାଚ୍ ବାଧିତ ହୁଏ କିମ୍ବା ସେହି ଦିନ କୌଣସି ବି କାରଣରୁ ସମାପ୍ତ ନହୁଏ ତେବେ ମେ ୩୦କୁ ରିଜର୍ଭ ଡେ ଭାବେ ରଖାଯାଇଛି। ଯଦି ମେ ୨୯ରେ ମ୍ୟାଚ୍ ଆରମ୍ଭ ହୁଏ ଅର୍ଥାତ ଅତି କମରେ ଗୋଟିଏ ବଲ୍ ଖେଳା ଯାଇଥିବ ଏବଂ ମ୍ୟାଚ୍ ମୂଳ ଦିନରେ ନସରେ ତେବେ ରିଜର୍ଭ ଡେରେ ଏହାକୁ ପୂରା କରାଯିବ। ସେହି ବଲରୁ ମ୍ୟାଚ୍ ପୁଣି ଆରମ୍ଭ ହେବ।

Get real time updates directly on you device, subscribe now.