ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଅସନ୍ତୁଳନ ଦୀର୍ଘ ଦିନରୁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି । ଗତ ଆର୍ଥିକ ବର୍ଷରେ ଭାରତର ଚୀନ୍ ସହିତ ବାଣିଜ୍ୟ କ୍ଷତି ପ୍ରାୟ ୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହାର ମୁଖ୍ୟ କାରଣ ହେଉଛି ଚୀନ୍ରୁ ବଟନ, ପେନ୍, କଙ୍କଣୀ, ପ୍ଲାଷ୍ଟିକ୍ ଓ ରବର ଉତ୍ପାଦ, କାଗଜ ଆଧାରିତ ସାମଗ୍ରୀ ଏବଂ କପଡ଼ା ଭଳି ସାଧାରଣ ଜିନିଷର ବହୁ ପରିମାଣରେ ଆମଦାନୀ।
ଏହି ଜିନିଷଗୁଡ଼ିକ ଭାରତରେ ସହଜରେ ଉତ୍ପାଦନ କରାଯାଇପାରେ। ଗ୍ଲୋବାଲ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ର ତଥ୍ୟ ଅନୁସାରେ, ୨୦୨୩-୨୪ରେ ଭାରତ ଚୀନ୍ରୁ ପ୍ରାୟ ୭,୫୨୧ ପ୍ରକାରର ଉତ୍ପାଦ ଆମଦାନୀ କରିଛି, ଯେଉଁଥିରେ ପ୍ଲାଷ୍ଟିକ୍ ଓ ରବର ଉତ୍ପାଦର ମୂଲ୍ୟ ୫୪,୨୭୮ କୋଟି, କପଡ଼ା ଉତ୍ପାଦ ୪୨,୩୦୫ କୋଟି ଏବଂ କାଗଜ ଆଧାରିତ ସାମଗ୍ରୀର ମୂଲ୍ୟ ୭,୪୧୧ କୋଟି ଟଙ୍କା ରହିଛି।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ସ୍ୱଦେଶୀ ଆପଣାନ୍ତୁ” ନାରା ଜରିଆରେ ଦେଶବାସୀଙ୍କୁ ଭାରତୀୟ ଉତ୍ପାଦ ବ୍ୟବହାର କରିବାକୁ ଆହ୍ୱାନ ଦେଇଛନ୍ତି। ଗୁଜରାଟର ଗାନ୍ଧୀନଗରରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, “ଆମେ ଯଦି ବଟନ, ପେନ୍ ଓ ପାନିଆ ଭଳି ସାଧାରଣ ଜିନିଷ ଚୀନ୍ରୁ ଆମଦାନୀ ବନ୍ଦ କରି ନିଜେ ଉତ୍ପାଦନ କରୁ, ତେବେ ଚୀନ୍କୁ ୫୪,୦୦୦ କୋଟି ଟଙ୍କାର ଆର୍ଥିକ ଝଟକା ଦେଇପାରିବୁ।”
ଏହି ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି। ଚୀନ୍ରୁ ଆମଦାନୀ ହେଉଥିବା କବାଟ, ରୋଲର ଚେନ୍ ଭଳି ଜିନିଷ ଉପରେ କଟକଣା ଲାଗୁ କରାଯାଇଛି। ମେକ୍ ଇନ୍ ଇଣ୍ଡିଆ ଓ ପ୍ରୋଡକ୍ସନ ଲିଙ୍କଡ୍ ଇନସେଣ୍ଟିଭ୍ (ପିଏଲ୍ଆଇ) ଯୋଜନା ମାଧ୍ୟମରେ ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯାଉଛି। ଖେଳଣା ଶିଳ୍ପରେ ମଧ୍ୟ ଭାରତ ବଡ଼ ସଫଳତା ହାସଲ କରିଛି। ୨୦୧୩ରେ ଖେଳଣା ଆମଦାନୀରେ ଚୀନ୍ର ଅଂଶ ୯୦% ଥିବା ବେଳେ, ୨୦୨୪ ସୁଦ୍ଧା ଏହା ୬୦%ରୁ କମ୍କୁ ହ୍ରାସ ପାଇଛି ।
ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ସ୍ୱଦେଶୀ ଉତ୍ପାଦକୁ ଗ୍ରହଣ କଲେ ଏହା ଚୀନ୍ର ବାଣିଜ୍ୟକୁ ପ୍ରଭାବିତ କରିବା ସହ ଭାରତୀୟ ଅର୍ଥନୀତିକୁ ଶକ୍ତିଶାଳୀ କରିବ ଓ ଲକ୍ଷାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅଭିଯାନକୁ ସଫଳ କରିବା ପାଇଁ ସାଧାରଣ ଜନତାଙ୍କ ସହଯୋଗ ଅନିବାର୍ଯ। ଏହା ଦେଖାଉଛି ଯେ, ଛୋଟ ଜିନିଷରୁ ଆରମ୍ଭ କରି ଭାରତ ଆତ୍ମନିର୍ଭରତାର ପଥରେ ଦୃଢ଼ ପଦକ୍ଷେପ ନେଉଛି ଓ ଚୀନ୍ ଉପରେ ନିର୍ଭରତା କମାଇବାକୁ ପ୍ରସ୍ତୁତ ରହିଛି।