କିଏ ସେହି ଭାରତୀୟ ନର୍ସ, ଯାହାଙ୍କୁ ୟେମେନରେ ମିଳିଲା ମୃତ୍ୟୁଦଣ୍ଡ: ଜାଣନ୍ତୁ ଭାରତର ଷ୍ଟାଣ୍ଡ

ୟେମେନରେ ଜଣେ ସାଧାରଣ ନାଗରିକଙ୍କ ହତ୍ୟା ମାମଲାରେ ଭାରତୀୟ ନର୍ସ ନିମିଶା ପ୍ରିୟାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହା ଉପରେ ଭାରତର ଆଭିମୁଖ୍ୟ କ’ଣ? ଜାଣିବା ପାଇଁ ସମ୍ପୂର୍ଣ୍ଣ ଖବର ପଢନ୍ତୁ ..

ନୂଆଦିଲ୍ଲୀ: ଭାରତ ଆଜି ଘୋଷଣା କରିଛି ଯେ, କେରଳର ନର୍ସ ନିମିଶା ପ୍ରିୟାଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯିବ , ଯାହାଙ୍କୁ ମୃତ୍ୟୁଦଣ୍ଡ ମିଳିଛି । ୟେମେନରେ ଜଣେ ନାଗରିକଙ୍କ ହତ୍ୟା ମାମଲାରେ କେରଳର ନର୍ସ ନିମିଷା ପ୍ରିୟାଙ୍କୁ ସେହି ଦେଶରେ ମୃତ୍ୟୁ ଦଣ୍ଡାଦେଶ ମିଳିଛି।

ୟେମେନ ରାଷ୍ଟ୍ରପତି ଅଲ-ଅଲିମି ନିମିଷାଙ୍କ ମୃତ୍ୟୁ ଦଣ୍ଡକୁ ଅନୁମୋଦନ କରିଛନ୍ତି। ନିମିଷାଙ୍କ ପରିବାର ନିଜ ଝିଅକୁ ବଞ୍ଚାଇବାକୁ ସମସ୍ତ ପ୍ରକାର ପ୍ରୟାସ କରୁବା ସତ୍ତ୍ୱେ ଏବେ ଏହି ଘଟଣା ପରେ ସବୁ ଆଶା ମଉଳି ଯାଇଛି।

ଅନ୍ୟପଟେ ଭାରତ ମଧ୍ୟ ଯଥା ସମ୍ଭବ ଚେଷ୍ଟା କରୁଛି ନିମିଷାଙ୍କୁ ବଞ୍ଚାଇବାକୁ। ଏହି ଘଟଣାରେ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିମିଷାଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଥିବା କୁହାଯାଇଛି।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲଙ୍କ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି ଯେ, ୟେମେନରେ ନିମିଷା ପ୍ରିୟାଙ୍କ ମୃତ୍ୟୁ ଦଣ୍ଡାଦେଶ ବିଷୟରେ ଆମେ ଅବଗତ ଅଛୁ। ଆମେ ଜାଣିଛୁ ଯେ ନିମିଷାଙ୍କ ପରିବାର ଝିଅକୁ ବଞ୍ଚାଇବା ପାଇଁ ବିକଳ୍ପ ଖୋଜୁଛନ୍ତି। ସରକାର ଏହି ପ୍ରସଙ୍ଗରେ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି।

ଅନ୍ୟପଟେ ୟେମେନ ରାଷ୍ଟ୍ରପତି ଅଲ-ଅଲିମି ନିମିଷାଙ୍କ ଦଣ୍ଡକୁ ଅନୁମୋଦନ କରିସାରିଥିବାରୁ ମାସକ ଭିତରେ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିପାରେ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ କେବଳ ମୃତକଙ୍କ ପରିବାର ଲୋକ କ୍ଷମା ଦେଲେ ହିଁ ନିମିଷାଙ୍କ ଜୀବନ ବଞ୍ଚିପାରିବ। ଏଥିପାଇଁ ତାଙ୍କ ମାଆ ଗତ କିଛି ବର୍ଷ ହେଲା ସେଠାରେ ରହି ମୃତକଙ୍କ ପରିବାର ଲୋକଙ୍କୁ ବୁଝାଇ ମାମଲା ରଫାଦଫା କରିବାକୁ ଚେଷ୍ଟା କରୁଛନ୍ତି।

ସୂଚନା ଥାଉକି, ୨୦୧୦-୧୧ ମସିହାରେ ନିମିଷା ଚାକିରି ଉଦ୍ଦେଶ୍ୟରେ ୟେମେନ ଯାଇଥିଲେ। ସେଠାରେ ସେ ନର୍ସ ଚାକିରି କରି ରହିଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅ ବି ତାଙ୍କ ସହ ରହୁଥିଲେ। ମାତ୍ର ୨୦୧୪ ମସିହାରେ ସେମାନେ ଭାରତ ଫେରି ଆସିଥିବା ବେଳେ ନିମିଷା ସେଠାରେ ରହି ଯାଇଥିଲେ। ୟେମେନରେ ସେ ତଲାଲ ଓବଦା ମେହେଦି ନାମକ ୟେମେନ ନାଗରିକଙ୍କ ସହ ସମ୍ପର୍କ ରଖିଥିଲେ। ତାଙ୍କ ସହ ମିଶି ନିମିଷା ସେଠାରେ ଏକ ହସ୍ପିଟାଲ ଖୋଲିଥିଲେ।

କିଛିଦିନ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା। କିନ୍ତୁ ପରେ ପରେ ସେଥିରେ ଫାଟ ଦେଖାଦେଲା। ତଲାଲ ଓବଦା ନିମିଷାଙ୍କ ପାସପୋର୍ଟ ରଖି ଦେଇଥିବା ବେଳେ ନିମିଷା ଏନେଇ ସେଠାକାର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଉଭୟଙ୍କ ଭିତରେ ଏହା ବ୍ୟକ୍ତିଗତ ମାମଲା ବୋଲି ତଲାଲ କହିବାରୁ ସେଠାକାର ପୋଲିସ୍‌ ଉକ୍ତ ମାମଲାରେ ହସ୍ତକ୍ଷେପ କରିନଥିଲା।

ଶେଷରେ ନିମିଷା ଏଥିରେ ଉତ୍ତ୍ୟକ୍ତ ହୋଇ ନିଶା ଇଞ୍ଜେସନ ଦେଇ ତଲାଲଙ୍କୁ ହତ୍ୟା କରିଥିଲେ। ଏହାପରେ ସେ ପାସପୋର୍ଟ ହାସଲ କରି ଭାରତ ଫେରିବାକୁ ଚାହୁଁଥିଲେ। ମାତ୍ର ଏହା ସମ୍ଭବ ହୋଇ ପାରିନଥିଲା। ୟେମେନ ପୋଲିସ୍‌ ମାତ୍ର ୪ ଦିନରେ ଏହି ଘଟଣାର ପର୍ଦ୍ଦାଫାସ କରି ନିମିଷାଙ୍କୁ ଗିରଫ କରିଥିଲା।