fbpx

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବଡ଼ ଘୋଷଣା: ଲିଙ୍ଗ ନିରୂପଣକାରୀଙ୍କ ବାବଦରେ ସୂଚନା ଦେଲେ ମିଳିବ ୨୫ ହଜାର ପ୍ରୋତ୍ସାହନ ରାଶି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭ୍ରୁଣର ଲିଙ୍ଗ ନିରୂପଣ କରିବାକୁ ଏକ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯାଉଛି । ଲିଙ୍ଗ ନିରୂପଣ କରି ଦୋଷୀ ସାବ୍ୟସ୍ତ ହେଲେ ଜଣେ ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରାଯିବାର ନିୟମ ରହିଛି । ତେବେ ରାଜ୍ୟ ସରକାର ଏନେଇ ଯେତେ କଠୋର ନିୟମ ପ୍ରଣୟନ କଲେ ମଧ୍ୟ ଏଥିରେ ରୋକ ଲାଗି ପାରୁନି । ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଭ୍ରୁଣର ଲିଙ୍ଗ ନିରୂପଣ କରାଯାଉଥିବା ଦେଖାଯାଉଛି ।

ତେବେ ସବୁ ଦୃଷ୍ଟିରୁ ବିଚାର କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି ଲିଙ୍ଗ ନିରୂପଣକାରୀଙ୍କ ବାବଦରେ ସୂଚନା ଦେଲେ ସମ୍ପୃକ୍ତ ସୂଚନାଦାତାଙ୍କୁ ୨୫ ହଜାର ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଏନେଇ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ପିସି ଆଣ୍ଡ ପିଏନଡିଟି ଆଇନ ଅନୁଯାୟୀ ସୂଚନାଦାତାଙ୍କ ନାମ ସମ୍ପୂର୍ଣ୍ଣ ଭାବେ ଗୋପନ ରଖାଯିବ ବୋଲି କୁହାଯାଇଛି ।

ଅଣପଞ୍ଜିକୃତ ଅଲଟ୍ରାସାଉଣ୍ଡ କେନ୍ଦ୍ର ଓ ଅଣପଞ୍ଜିକୃତ ଭ୍ରାମ୍ୟମାଣ ଅଲଟ୍ରାସାଉଣ୍ଡ ମେଶିନ ସମ୍ବନ୍ଧରେ ସଠିକ୍ ସୂଚନା ଦେଲେ ସୂଚନାଦାତାଙ୍କୁ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ୩ଟି କିସ୍ତିରେ ଏହି ରାଶି ମିଳିବ । ପ୍ରଥମ କିସ୍ତିରେ ୧୦ ହଜାର, ଦ୍ୱିତୀୟ କିସ୍ତିରେ ଦଶ ହଜାର ଓ ତୃତୀୟ କିସ୍ତିରେ ୫ ହଜାର ପ୍ରୋତ୍ସାହନ ରାଶି ମିଳିବ । ତେବେ ଏଥିପାଇଁ କିଛି ସର୍ତ୍ତାବଳୀ ରହିଛି । ସୂଚନା ପ୍ରଦାନ କରିଥିବା ବ୍ୟକ୍ତି ପ୍ରୋତ୍ସାହନ ରାଶି ପାଇବାକୁ ଯୋଗ୍ୟ କି ନା ତାହା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ସ୍ଥିର କରିବେ ।

Get real time updates directly on you device, subscribe now.