ରାଜନୀତି ଛାଡିବାକୁ ଚିନ୍ତା କରୁଛନ୍ତି ଗଡକରୀ ? କହିଲେ- ଆଜିର ରାଜନୀତି କେବଳ କ୍ଷମତା ପାଇଁ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ବେଳେ ବେଳେ ରାଜନୀତିରୁ ଦୂରେଇ ଯିବା କଥା ଚିନ୍ତା କରୁଛନ୍ତି। ଶନିବାର ସେ ଖୋଦ୍ ଏହି କଥା କହିଛନ୍ତି। ଏକ କାର‌୍ୟ୍ୟକ୍ରମରେ ସେ ସାଂପ୍ରତିକ ରାଜନୀତି ଏବଂ ମାହୋଲକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଆଜିର ରାଜନେତାଙ୍କୁ ଶିକ୍ଷା, କଳା ପରି କ୍ଷେତ୍ରର ବିକାଶ ପାଇଁ କାମ କରିବା ଉଚିତ୍। ନିଜ ପୋଷ୍ଟର ଲଗାଯିବାକୁ ଗଡକରୀ ନାପସନ୍ଦ କରିଛନ୍ତି।

ସାମାଜିକ କର୍ମୀ ଗିରିଶ ଗାନ୍ଧୀଙ୍କ ସମ୍ମାନ ସମାରୋହରେ ଯୋଗ ଦେଇ ଗଡକରୀ କହିଛନ୍ତି, ଆମକୁ ଏହା ବୁଝିବାକୁ ପଡିବ ଯେ ରାଜନୀତିର ଅର୍ଥ କଣ। କଣ ଏହା ଦେଶ ଏବଂ ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ନା କ୍ଷମତାରେ ରହିବା ପାଇଁ ଉଦ୍ଦିଷ୍ଟ ? ସେ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ଯୁଗରେ ରାଜନୀତି ସାମାଜିକ ଆନ୍ଦୋଳନର ଅଂଶ ଥିଲା, ମାତ୍ର ପରେ ଏହାର ଧ୍ୟାନ ରାଷ୍ଟ୍ର ଏବଂ ବିକାଶ ଲକ୍ଷ୍ୟ ଅଭିମୁଖେ ବଢିଥିଲା।

ଗଡକରୀ କହିଛନ୍ତି, ଆଜି ଆମେ ଯାହା ଦେଖୁଛୁ, ତାହା କେବଳ ୧୦୦ ପ୍ରତିଶତ କ୍ଷମତାରେ ରହିବା ପାଇଁ କରାଯାଉଛି। ରାଜନୀତି ସାମାଜିକ ଏବଂ ଆର୍ଥିକ ସୁଧାରର ଏକ ପ୍ରକୃତ ସାଧନ। ଏଥିପାଇଁ ଆଜିର ରାଜନେତା ସମାଜରେ ଶିକ୍ଷା, କଳା ଆଦିର ବିକାଶ ପାଇଁ କାମ କରିବା ଉଚିତ୍।

ଗିରିଶ ଗାନ୍ଧୀଙ୍କୁ ନେଇ ସେ କହିଛନ୍ତି, ଯେବେ ଗିରିଶ ଭାଇ ରାଜନୀତିରେ ଥିଲେ, ମୁଁ ତାଙ୍କୁ ହତୋତ୍ସାହିତ କରୁଥିଲି କାରଣ ନିଜେ ମୁଁ ରାଜନୀତି ଛାଡିବା ବିଷୟରେ ଚିନ୍ତା କରୁଛି। ରାଜନୀତି ବ୍ୟତୀତ ଜୀବନରେ କରିବା ପାଇଁ ଅନେକ କିଛି ଭଲ କାମ ରହିଛି। ଗିରିଶ ଜଣେ ପୂର୍ବତନ ବିଧାନ ପରିଷଦର ସଦସ୍ୟ। ସେ ଏନସିପିର ନେତା ଥିଲେ, ହେଲେ ୨୦୧୪ ରେ ଦଳଠୁ ଦୂରେଇ ଯାଇଥିଲେ।

ଏହି ସମୟରେ ଗଡକରୀ ସମାଜବାଦୀ ନେତା ଜର୍ଜ ଫର୍ଣ୍ଣାଡିଜଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ମୁଁ ତାଙ୍କଠୁ ବହୁତ କିଛି ଶିଖିଛି। କାରଣ ସେ କେବେ ବି କ୍ଷମତା ପାଇଁ ଚିନ୍ତା କରୁନଥିଲେ। ସେ ଏକ ପ୍ରେରଣାଦାୟୀ ଜୀବନ ଅତିବାହିତ କରିଥିଲେ। ଯେବେ ଲୋକେ ପାଇଁ ବଡ ପୁସ୍ତକ ନେଇକି ଆସନ୍ତି କିମ୍ବା ପୋଷ୍ଟର ଲଗାନ୍ତି ମୋତେ କଦାପି ପସନ୍ଦ ଆସେନି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।