ନର୍ସ ଦିଦିଙ୍କ ଫେଭି କ୍ୱିକ୍ ଟ୍ରିଟମେଣ୍ଟ! ଏମିତି ଚିକିତ୍ସା କଲେ ଯେ, ଚାଲିଗଲା ଚାକିରି…
ନର୍ସଙ୍କ ନିଆରା ଚିକିତ୍ସା । କମ୍ପିଲା ସ୍ଥାନୀୟ ଅଞ୍ଚଳ ।
ବେଙ୍ଗାଲୁରୁ: କର୍ନାଟକରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଯାଇଛି ଏହି ଅଜବ ଘଟଣା । ହାବେରି ଜିଲ୍ଲା ହନାଗଲ ତାଲୁକର ୭ ବର୍ଷର ଗୁରୁକିଶନଙ୍କ ସହ ନର୍ସ କରିଛନ୍ତି କିଛି ଏମିତି ଯାହାକୁ ଶୁଣି ଲୋକ ମୁଣ୍ଡରେ ହାତ ଦେଉଛନ୍ତି ।
ଗୁରୁକିଶନଙ୍କ ଘର ଲୋକଙ୍କ କହିବା ଅନୁସାରେ, ଗୁରୁ ଖେଳୁଥିବା ସମୟରେ ତାଙ୍କ ଗାଲରେ ଗଭିର ଆଘାତ ଲାଗିଗଲା । ଘରଲୋକେ ତାଙ୍କୁ ଅଡୁରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡ୍ୟୁଟିରେ ଥିବା ନର୍ସ ଜ୍ୟୋତି ଘା’ରେ ଟାଙ୍କା ଲଗେଇବା ବଦଳରେ ଫେଭିକ୍ୱିକ୍ ଅଠା ଲଗେଇ ପଟି କରିଦେଲେ ।
ଲାଗିଥାନ୍ତା ୩ ଟାଙ୍କା: ଘା’ ବହୁତ ଗଭୀର ଥିଲା, ଯେଉଁଥିରେ ଅତିକମରେ ୩ଟି ଟାଙ୍କା ଲଗେଇବା ଦରକାର ଥିଲା । ସିଲେଇ କରିବା ପରିବର୍ତ୍ତେ ଜ୍ୟୋତି ପିଲା ଘା’ରେ ଅଠା ଲଗେଇଦେଲେ ।
ଏ ନେଇ ଗୁରୁଙ୍କ ପରିବାର ଲୋକ ପ୍ରଶ୍ନ କରିବାରୁ ସେ କହିଥିଲେ, ଟାଙ୍କା ଲଗେଇଲେ, ଦାଗ ରହିବ । ମୁଁ ଅଭିଜ୍ଞ, ଏମିତି ଚିକିତ୍ସା କରି ମୁଁ ଅନେକଙ୍କୁ ଭଲ କରିଛି ବୋଲି ଜ୍ୟୋତି ଯୁକ୍ତି କଲେ ।
ବୈଠକ ପରେ ସମାଧାନ: ଏ ନେଇ ଅଭିଯୋଗ ପରେ ଉଚ୍ଚାଧିକାରୀ ତାଙ୍କର ବଦଳି କରିଦେଲେ, ଯେଉଁଥିରେ ସ୍ଥାନୀୟ ଲୋକେ ଅଧିକ ରାଗିଗଲେ । ସମସ୍ତ ଘଟଣାର ଭିଡିଓ ଭାଇରାଲ ହେଲା ପରେ, ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଲା ।
ଘଟଣାର ପ୍ରାରମ୍ଭିକ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଲେ ମୁଖ୍ୟ ସଚିବ । ଯାହାପରେ ନର୍ସଙ୍କୁ ନିଲମ୍ବନ କରାଯାଇଛି । ଗୁରୁଙ୍କ ଚିକିତ୍ସା ସାଙ୍ଗକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସଚିବ ।