ସାନା: ୟମନରେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେଉଥିବା କେରଳର ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ରଦ୍ଦ ହୋଇଥିବା ନେଇ ଭାରତର ଗ୍ରାଣ୍ଡ ମୁଫତି କାନ୍ଥାପୁରମ ଏପି ଅବୁବକର ମୁସଲିୟାରଙ୍କ କାର୍ଯ୍ୟାଳୟ ଦାବି କରିଛି। ୟମନର ରାଜଧାନୀ ସାନାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ତେବେ ଏ ସମ୍ପର୍କରେ ୟମନ ସରକାର କିମ୍ବା ଭାରତ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା କରାଯାଇ ନାହିଁ।
ଗ୍ରାଣ୍ଡ ମୁଫତିଙ୍କ କାର୍ଯ୍ୟାଳୟର ଜଣେ ନିକଟତର ଅନୁଗାମୀ ଜାଓ୍ଵାଦ ମୁସ୍ତଫାଓ୍ଵି କହିଛନ୍ତି ଯେ, ଏହି ନିଷ୍ପତ୍ତି ଭାରତୀୟ ଗ୍ରାଣ୍ଡ ମୁଫତିଙ୍କ ହସ୍ତକ୍ଷେପ ଯୋଗୁଁ ସମ୍ଭବ ହୋଇଛି। ଗ୍ରାଣ୍ଡ ମୁଫତି ୟମନର ପ୍ରସିଦ୍ଧ ସୁଫି ବିଦ୍ଵାନ ଶେଖ ଉମର ହଫିଜ ଥାଙ୍ଗଲଙ୍କୁ ୟନୀ ବିଦ୍ଵାନମାନଙ୍କର ଏକ ପ୍ରତିନିଧିମଣ୍ଡଳୀ ପଠାଇବାକୁ ଅନୁରୋଧ କରିଥିଲେ।
ନିମିଷାଙ୍କ ମାମଲା କ’ଣ?
କେରଳର ପାଲକ୍କଡ଼ ଜିଲ୍ଲାର ନିମିଷା ପ୍ରିୟା ୨୦୦୮ରେ ନର୍ସ ଭାବେ କାମ କରିବା ପାଇଁ ୟମନ ଯାଇଥିଲେ। ୨୦୧୫ରେ ସେ ୟନୀ ନାଗରିକ ତଲାଲ ଅବଦୋ ମହଦୀଙ୍କ ସହ ମିଶି ଏକ ମେଡିକାଲ କ୍ଲିନିକ ଆରମ୍ଭ କରିଥିଲେ। କିନ୍ତୁ ୨୦୧୭ରେ ମହଦୀଙ୍କ ଶବ ଏକ ଜଳ ଟାଙ୍କିରେ ମିଳିଥିଲା ଏବଂ ତାଙ୍କ ହତ୍ୟାର ଅଭିଯୋଗ ନିମିଷାଙ୍କ ଉପରେ ଲାଗିଥିଲା। ଅଭିଯୋଗ ଅନୁଯାୟୀ, ନିମିଷା ନିଜ ପାସପୋର୍ଟ ଫେରାଇ ଆଣିବା ପାଇଁ ମହଦୀଙ୍କୁ ନିଦ ଔଷଧର ଅତ୍ୟଧିକ ମାତ୍ରା ଦେଇଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।
୨୦୧୮ରେ ନିମିଷାଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ୨୦୨୦ରେ ୟମନୀ ଅଦାଲତ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲା। ୨୦୨୩ରେ ତାଙ୍କର ଅନ୍ତିମ ଆପିଲ ମଧ୍ୟ ଖାରଜ ହୋଇଥିଲା। ନିମିଷା ବର୍ତ୍ତମାନ ସାନା ଜେଲରେ ବନ୍ଦୀ ଅଛନ୍ତି।
ଗ୍ରାଣ୍ଡ ମୁଫତିଙ୍କ ହସ୍ତକ୍ଷେପ
ଗ୍ରାଣ୍ଡ ମୁଫତି କାନ୍ଥାପୁରମ ଏପି ଅବୁବକର ମୁସଲିୟାରଙ୍କ ଅନୁରୋଧରେ ୟମନର ସୁଫି ବିଦ୍ଵାନ ଶେଖ ଉମର ହଫିଜ ଏକ ପ୍ରତିନିଧିମଣ୍ଡଳୀ ପଠାଇଥିଲେ, ଯେଉଁମାନେ ମୃତକ ତଲାଲଙ୍କ ପରିବାର ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଉତ୍ତର ୟମନର ଶାସକ ଅଧିକାରୀ ଏବଂ ଆନ୍ତର୍ଜାତୀୟ କୂଟନୀତିଜ୍ଞମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହା ପୂର୍ବରୁ ଜୁଲାଇ ୧୬, ୨୦୨୫ରେ ନିମିଷାଙ୍କ ଫାଶୀକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିଲା।
ବ୍ଲଡ ମନି ଓ ଆଲୋଚନାଯମନୀ ଶରିଆ ନିୟମ ଅନୁଯାୟୀ, ମୃତକଙ୍କ ପରିବାର ବ୍ଲଡ ମନି (କ୍ଷତିପୂରଣ) ଗ୍ରହଣ କରି ଦୋଷୀଙ୍କୁ କ୍ଷମା କରିପାରନ୍ତି। ନିମିଷାଙ୍କ ମାମଲାରେ ମଧ୍ୟ ଏହି ବିକଲ୍ପ ଉପରେ ଆଲୋଚନା ହୋଇଥିଲା। କେରଳର ବ୍ୟବସାୟୀ ଯୁସୁଫ ଅଲୀ ଏବଂ ବବି ଚେମ୍ମାନୁରଙ୍କ ସମେତ ‘ସେଭ୍ ନିମିଷା ପ୍ରିୟା ଇଣ୍ଟରନ୍ୟାସନାଲ ଆକ୍ସନ କାଉନସିଲ’ ପକ୍ଷରୁ ଏକ କୋଟି ଟଙ୍କାର କ୍ଷତିପୂରଣ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ମହଦୀଙ୍କ ପରିବାର ଏହା ଗ୍ରହଣ କରିବାକୁ ମନା କରିଦେଇଥିଲେ।
ଭାରତ ସରକାରଙ୍କ ଭୂମିକା
ଭାରତ ସରକାର ମଧ୍ୟ ନିମିଷାଙ୍କୁ ବଞ୍ଚାଇବା ପାଇଁ କୂଟନୀତିକ ଓ ଧାର୍ମିକ ଉପାୟରେ ପ୍ରୟାସ ଜାରି ରଖିଥିଲେ। ୟମନରେ ଭାରତୀୟ ଦୂତାବାସ ନଥିବା ହେତୁ ସଉଦୀ ଆରବ ମାଧ୍ୟମରେ ୟମନୀ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ଭାରତୀୟ ଅଧିକାରୀମାନେ ୟମନୀ ଜେଲ ଅଧିକାରୀ ଏବଂ ଅଭିଯୋଗକାରୀ କାର୍ଯ୍ୟାଳୟ ସହ ନିୟମିତ ଯୋଗାଯୋଗରେ ଥିଲେ।