ଖଲିକୋଟ ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଅଟୋକୁ କାର ଧକ୍କା ଦେବାରୁ ଦୁଇଜଣ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ଗଞ୍ଜାମ ଜିଲ୍ଲା ଖଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରିଆ ନିକଟରେ ବିଧାୟକଙ୍କ କାର୍ ଏକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ବିଧାୟକ ସୁରକ୍ଷିତ ରହିଥିବା ବେଳେ ଅଟୋରେ ଥିବା ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ବିଧାୟକଙ୍କ କାର୍ ସାମାନ୍ୟ କ୍ଷତି ହୋଇଛି ।

ସୂଚନା ମୁତାବକ, ଏକ ହୁଣ୍ଡାଇ କାରରେ ବିଧାୟକ ଶ୍ରୀ ସେଠୀ ଖଲିକୋଟରୁ ଭୁବେନଶ୍ୱର ଅଭିମୂଖେ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବଡ଼ପୋଖରିଆ ଛକ ନିକଟରେ କାରଟି ଏକ ଅଟୋକୁ ପଛପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ଜଣ ଟାଙ୍ଗି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସୂଚନାଯୋଗ୍ୟ ଯେ, ଶ୍ରୀ ସେଠୀ ୨୦୨୪ ବିଧାନସଭା ନିର୍ବାଚନରେ ଖଲିକୋଟ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ମୋଟ ୮୦,୨୩୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ସୂର୍ଯ୍ୟମଣୀ ବୈଦ୍ୟଙ୍କୁ ୨୩,୦୫୭ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।