ରାଷ୍ଟ୍ରପତି ନିର୍ବାଚନରେ ସାଧାରଣ ନାଗରିକ କାହିଁକି ଭୋଟ ଦେଇପାରିବେ ନାହିଁ, ଏଥିରେ କାହିଁକି ହୁଏନି ଇଭିଏମର ବ୍ୟବହାର, ଜାଣନ୍ତୁ ସମ୍ପୂର୍ଣ୍ଣ ଗଣିତ

ଆସନ୍ତା ଜୁଲାଇ ମାସ ୧୮ ତାରିଖରେ ଭାରତବର୍ଷରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ଏହି ଭୋଟରେ ଇଭିଏମ୍ ନୁହେଁ, ବରଂ ବାଲାଟ ପେପରର ବ୍ୟବହାର କରାଯିବ । ତେବେ ଅନେକ ଲୋକ ରାଷ୍ଟ୍ରପତି ନିର୍ବାଚନ ବିଷୟରେ ବହୁତ କିଛି ତଥ୍ୟ ଜାଣି ନଥାନ୍ତି ।

ଦେଶର ସାଂସଦ ଓ ବିଧାୟକମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ୧, ୨, ୩, ୪, ୫ ହିସାବରେ ପସନ୍ଦ ଅନୁଯାୟୀ ଭୋଟିଂ କରିଥାନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କୁ ବାଲାଟ ପେପର ଦିଆଯାଇଥାଏ । ସାଂସଦଙ୍କୁ ସବୁଜ ଓ ବିଧାୟକଙ୍କୁ ଗୋଲାପୀ ରଙ୍ଗର ବାଲାଟ ଦିଆଯାଏ । ସାଂସଦ ଓ ବିଧାୟକଙ୍କ ଭୋଟ ଭାଲ୍ୟୁ ଅଲଗା ଭାବେ ହିସାବ କରାଯାଇଥାଏ ।

ଭାରତୀୟ ସଂସଦୀୟ ପ୍ରଣାଳୀ ବ୍ରିଟେନ ସହ ପ୍ରାୟତଃ ସମାନ ହୋଇଥିବା ବେଳେ ଭାରତରେ ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟ ହୋଇଥାନ୍ତି । ମାତ୍ର ସରକାର ଚଳାଇବାର ପ୍ରକୃତ କ୍ଷମତା ପ୍ରଧାନମନ୍ତ୍ରୀଙ୍କ ହାତରେ ନ୍ୟସ୍ତ ଥାଏ । ଯଦି ଜନତା ରାଷ୍ଟ୍ରପତିଙ୍କୁ ସିଧାସଳଖ ଭୋଟ ଦେଇ ବାଛିବେ, ତେବେ ରାଷ୍ଟ୍ରପତିଙ୍କୁ ଦେଶ ଶାସନର ମୁଖ୍ୟ କୁହାଯିବ । ଏଭଳି ସମସ୍ୟାରୁ ବର୍ତ୍ତିବା ପାଇଁ ରାଷ୍ଟ୍ରପତି ପରୋକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି ।

ସଂସଦୀୟ କ୍ଷେତ୍ର ଛୋଟ ହେଉ ବା ବଡ଼, ଲୋକସଭା ଓ ରାଜ୍ୟସଭାର ପ୍ରତ୍ୟେକ ସାଂସଦଙ୍କ ଭୋଟ ଭାଲ୍ୟୁ ସମାନ ହୋଇଥ।।ଏ । ମାତ୍ର ବିଧାୟକଙ୍କ ଭୋଟ ଭାଲ୍ୟୁ ସମାନ ହୋଇନଥାଏ, ତାହା ଜନସଂଖ୍ୟା ଆଧାରରେ ହୋଇଥାଏ । ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶର ଜଣେ ବିଧାୟକଙ୍କ ଭୋଟ ଭାଲ୍ୟୁ ୨୦୮ ରହିଥିବା ବେଳେ ସବୁଠାରୁ ଛୋଟ ରାଜ୍ୟ ସିକିମର ବିଧାୟକଙ୍କର ଭୋଟ ଭାଲ୍ୟୁ ୭ ରହିଥାଏ ।