fbpx

ଲଖିମପୁର ହିଂସା ମାମଲା: ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଊତ୍ତରପ୍ରଦେଶ ଲଖିମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଯୋଗୁଁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ହିଂସାକାଣ୍ଡର ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାରେ ଅଭିଯୁକ୍ତ କିଏ, କାହା ବିରୋଧରେ ମାମଲା ହୋଇଛି ତାହା ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ମାମଲାରେ କାହାକୁ ଗିରଫ କରାଯାଇଛି, ତାହା ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ । ତେବେ ଖେରୀରେ ୮ ଜଣଙ୍କର ମୃତ୍ୟୁ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲେ କୋର୍ଟ । ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ତେବେ ଉତ୍ତରପ୍ରଦେଶର ଲଖୀମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଯୋଗୁଁ ୪ କୃଷକ, ୩ ବିଜେପି କର୍ମୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅର୍ଥାତ ଏହି ହିଂସାକାଣ୍ଡରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଖବର ମିଳିଛି କି, କୃଷକ ଓ ଲଖୀମପୁର ଖେରି ପ୍ରଶାସନ ମଧ୍ୟରେ ବୁଝାମଣା ହୋଇଛି । କୁହାଯାଉଛି ଯେ, ପ୍ରତି ମୃତକଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବାକୁ ଘୋଷଣା ହୋଇଛି । ଏହା ବ୍ୟତୀତ ପ୍ରତି ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ବି ମିଳିବ । ସେହିପରି ହିଂସାରେ ଆହତ ହୋଇଥିବା ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଲଖିମପୁର କାଣ୍ଡରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ବିରୋଧରେ ଏଫଆଇଆର୍ ଦିଆଯାଇଛି । ରବିବାର ଦିନ ଲଖିମପୁରର ଖିରୀ ଠାରେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦଙ୍କୁ ଏକ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା । ହେଲେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ହିଁ ଅଘଟଣ ଘଟିଥିଲା ।

Get real time updates directly on you device, subscribe now.