fbpx

ସୁପ୍ରିମକୋର୍ଟ ରିପୋର୍ଟ ମାଗିବାରୁ ଚେତିଲେ ଯୋଗୀ ସରକାର, କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀଙ୍କ ଘରେ ମାରିଲେ ନୋଟିସ୍, ଅଜୟଙ୍କୁ ୧୦ଟାରେ ଡକାଇଲା

ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ । ଉଚ୍ଚ ନ୍ୟାୟାଳୟର କଡା ଆଭିମୁଖ୍ୟ ଦେଖି ଛାନିଆ ଉତ୍ତର ପ୍ରଦେଶ ପୋଲିସ । ଯେଉଁ ଅଭିଯୁକ୍ତମାନଙ୍କୁ ଯୋଗୀ ସରକାର ଘଣ୍ଟ ଘଡାଉଥିଲା ସୁପ୍ରିମକୋର୍ଟ ରିପୋର୍ଟ ମାଗିବା ପରେ ସେହି ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଡହଳ ବିକଳରେ ଗିରଫ କରି ୟୁପି ପୋଲିସ । କେବଳ ସେତିକି ନୁହେଁ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ପୋଲିସ ପଚରା ଉଚୁରା ପାଇଁ ଡକାଇଛି । ପୋଲିସ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ନୋଟିସ୍ ମାରି ଦେଇଛି ଏବଂ ତାଙ୍କ ପୁଅକୁ ଅକ୍ଟୋବର ୮ ଅର୍ଥାତ ଆସନ୍ତାକାଲି ସକାଳ ୧୦ଟାରେ ହାଜର ହେବାକୁ ଆଦେଶ ଦିଆଯାଇଛି ।

ଲଖନଉ ଜୋନ ପୋଲିସ ମହାନିରୀକ୍ଷକ ଲକ୍ଷ୍ମୀ ସିଂହ ଗୁରୁବାର କହିଛନ୍ତି, କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଆଶିଷ ମିଶ୍ରଙ୍କୁ ଜେରା ପାଇଁ ଡକାଯାଇଛି । ଯଦି ଆଶିଷ ମିଶ୍ର ହାଜର ନହୁଅନ୍ତି ତେବେ ଆଇନଗତ ପ୍ରକ୍ରିୟା ଆପଣାଯିବ । ପୋଲିସ ମହାନିରୀକ୍ଷକ କହିଛନ୍ତି ଆଶିଷ ମିଶ୍ରଙ୍କୁ ପଠାଯାଇଥିବା ସମନରେ କୌଣସି ସମୟ ସୀମା ଉଲ୍ଲେଖ କରାଯାଇ ନାହିଁ । ଆଶିଷଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲେ ମଧ୍ୟ ପୋଲିସ ଘଟଣାର ୫ ଦିନ ଯାଏଁ ନିରବ ରହିଥିଲା । ହେଲେ ଗୁରୁବାର ସୁପ୍ରିମକୋର୍ଟ ନିଜ ଆଡକୁ ମାମଲାରେ ହସ୍ତକ୍ଷେପ କରି ରିପୋର୍ଟ ମାଗିବାରୁ ବାଟକୁ ଆସିଛି ଯୋଗୀ ସରକାର । ଏହି ଘଟଣାରେ ପ୍ରଧାନ ବିଚାରପତି ଏନଭି ରମନ୍ନା, ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ହିମା କୋହଲିଙ୍କ ତିନି ଜଣିଆ ପୀଠ ଶୁଣାଣି କରୁଛନ୍ତି ।

ଆଇପିସିର ଧାରା ୧୬୦ ଆଧାରରେ ଘରେ ଲଗାଯାଇଥିବା ନୋଟିସରେ ପୋଲିସ କହିଛି, ଆଶିଷ ମିଶ୍ରଙ୍କୁ ଆସନ୍ତାକାଲି ସକାଳ ୧୦ଟାରେ ଅପରାଧ ଶାଖା କାର୍ଯ୍ୟାଳୟ, ରିଜର୍ଭ ପୋଲିସ ଲାଇନରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡିବ । ଏହି ମାମଲାରେ କିଛି ଲୋକଙ୍କୁ ପଚରା ଉଚୁରା କରାଯାଉଛି । ଅକ୍ଟୋବର ୩ରେ ଲକ୍ଷ୍ମୀପୁର ଖେରି ଜିଲ୍ଲାର ତିକୋନିଆ ଅଞ୍ଚଳରେ ଗାଡି ଚଢାଇ ଚାଷୀଙ୍କୁ ହତ୍ୟା କରାଯିବା ଘଟଣାରେ ଚାରି କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଆଶିଷ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି । ପୋଲିସ ଆଜି ଦୁଇ ଅଭିଯୁକ୍ତ ଆଶିଷ ପାଣ୍ଡେ ଏବଂ ଲବକୁଶଙ୍କୁ ଗିରଫ କରିଛି । ଉଭୟ ଆଶିଷ ମିଶ୍ରଙ୍କ ବନ୍ଧୁ । ଦୁଇ ଜଣ ଚାଷୀଙ୍କ ଉପରେ ଚଢାଯାଇଥିବା ଏସୟୁଭି କାରରେ ଥିଲେ ।

Get real time updates directly on you device, subscribe now.