ଷ୍ଟାଡିୟମ ଭିତରେ ମଦ ବୋତଲ, ଭଙ୍ଗା ଚଉକି…ଦିଲଜିତଙ୍କ କନସର୍ଟ ପରେ ବିଗିଡ଼ିଲା ଷ୍ଟାଡିୟମର ଅବସ୍ଥା, ଖେଳାଳି ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଲୋକପ୍ରିୟ ପଞ୍ଜାବୀ ଗାୟକ ଦିଲଜିତ୍ ଦୋସାଞ୍ଜ । ଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମ(JLS)ରେ ଅକ୍ଟୋବର ୨୬ ଏବଂ ୨୭ ତାରିଖ ଦିନ ଦିଲଜିତଙ୍କ ଏକ କନସର୍ଟ ଆୟୋଜିତ ହୋଇଥିଲା । ଏହି ସମାରୋହରେ ହଜାର ହଜାର ସଂଖ୍ୟାରେ ଦର୍ଶକ ଯୋଗ ଦେଇଥିଲେ । ତେବେ ଶୋ ଶେଷ ହେବା ପରେ ଷ୍ଟାଡିୟମର ଅବସ୍ଥା ଦେଖି ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କ ସହ ଖେଳାଳି ଅସନ୍ତୋଷ ବ୍ୟକ୍ତି କରିଥିବା ଜଣାପଡ଼ିଛି ।

ଜବାହରଲାଲ ନେହରୁ ଷ୍ଟାଡିୟମରେ ଅନେକ ଖେଳାଳି ନିଜ ପ୍ରତିଭାକୁ ବିକଶିତ କରିଥାନ୍ତି । ଏଠାରେ ଆଥଲେଟ୍ ଟ୍ରାକରେ ଦୌଡ଼, ହର୍ଡ଼ଲ୍ସ ବ୍ୟତୀତ ଅନ୍ୟାନ୍ୟ କ୍ରୀଡ଼ା ପ୍ରାକଟିସ୍ କରିଥାନ୍ତି । କିନ୍ତୁ ଶୋ ପରେ ଦୌଡ଼ ଟ୍ରାକରେ ଖାଦ୍ୟ ପଡ଼ିଥିବାର, ଚଉକି ଭାଙ୍ଗିଥିବାର, ଏଠି ସେଠି ମଦ ବୋତଲ, ଖାଲି ପ୍ଲାଷ୍ଟିକ ବୋତଲ, ଖାଲି ଖାଦ୍ୟ ପ୍ୟାକେଟ୍ ଇତ୍ୟାଦି ପଡ଼ିଥିବାର ଦେଖାଯାଇଥିଲା । ଏଭଳି ଦୃଶ୍ୟ ଦେଖି ଖେଳାଳିମାନେ ସେମାନଙ୍କ ପ୍ରାକଟିସ୍ ବନ୍ଦ କରିଥିଲେ । ଏହାର ଏକ ଭିଡ଼ିଓ Beant Singh ନାମକ ଜଣେ ୟୁଜର ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । କହିରଖୁଛୁ ସ୍ପୋର୍ଟସ ଅଥୋରିଟି ଅଫ୍ ଇଣ୍ଡିଆ(SAI) ଏବଂ ସାରେଗାମା ମଧ୍ୟରେ ଏହି କନସର୍ଟକୁ ନେଇ ଏକ କଣ୍ଟ୍ରାକ୍ଟ ହୋଇଥିଲା । ଉକ୍ତ କଣ୍ଟ୍ରାକ୍ଟ ଅନୁଯାୟୀ ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଷ୍ଟାଡିୟମକୁ ଭଡ଼ାରେ ନିଆଯାଇଛି । ଏହା ପରେ ସମ୍ପୂର୍ଣ୍ଣ ଷ୍ଟାଡିୟମରୁ ଅଳିଆ ଆବର୍ଜନା ସଫା କରାଯିବ । କଣ୍ଟ୍ରାକ୍ଟରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି କି ଏହି ତାରିଖ ପୂର୍ବରୁ ଷ୍ଟାଡ଼ିୟମକୁ ସ୍ୱଚ୍ଛ ଅବସ୍ଥାରେ SAIକୁ ହସ୍ତାନ୍ତର କରାଯିବ ।

 

View this post on Instagram

 

A post shared by Beant Singh (@beant.bhinder_800m)